କେଉଁଠୁ ଭାସି ଆସିଲା ବିଶାଳ ଶକ୍ତି କୁଣ୍ଡ ?
ପୁରୀ ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରେ ଲାଗିଛି ବିଶାଳ ଶକ୍ତି କୁଣ୍ଡ। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ଏହା ସମୁଦ୍ରରେ ଭାସି ଆସି କୂଳରେ ଲାଗିଛି ନା କୌଣସି ଦୁର୍ବୁତ୍ତ ଏହାକୁ ଏଠାରେ ରଖି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ତଥା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗର ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ଶିବ ଶକ୍ତି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ଜିଲ୍ଲାପାଳ।
ତେଣେ ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର କରି ସଂରକ୍ଷିତ କରାଯାଇଛି। ଏହା କେତେ ପୁରୁଣା ଓ କେଉଁଠୁ ଆସିଲା ତାହା ଜାଣିବାକୁ ସର୍ଭେ କରାଯିବ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି। ପ୍ରାୟ ୫୦କିଲୋରୁ ଅଧିକ ଓଜନର ଏହି ପଥରର ଶିବ ଶକ୍ତି ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ରାଜ୍ୟ ତଥା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ଗତକାଲି ସକାଳ ପ୍ରାୟ ୧୦.୩୦ ସମୟରେ ପଥରର ଏହି ଶିବ ଶକ୍ତିଟି ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରେ ଲାଗିଥିଲା। ସେଠାରେ ଥିବା କିଛି ମତ୍ସଜୀବୀ ମାନେ ଏହାକୁ ଦେଖିଥିଲେ। ଏହି ଶିବ ଶକ୍ତିଟି ଭାସି ଆସିବା ସମୟରେ ଏଥିରୁ ଶିବ ଲିଙ୍ଗଟି ଅଲଗା ହୋଇଯାଇଥିବା ଅନୁମାନ କରାଯାଉଛି।
ପଥରର ଏହି ଶକ୍ତିକୁ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ଭିଡ ଜମିଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ତେବେ ଏହା ଓଡିଶାରେ ଦେଖିବାକୁ ମିଳୁନଥିଲେ ମଧ୍ୟ ଦକ୍ଷିଣ ଭାରତର ରାମେଶ୍ବରମ୍ ଇଲାକାରେ ଦେଖିବାକୁ ମିଳିଥାଏ ବୋଲି ଚର୍ଚ୍ଚା ହେଉଛି।
Powered by Froala Editor