ରାଜ୍ୟସଭା ନିର୍ବାଚନ ପାଇଁ ଦାୟିତ୍ୱ ଦେଲା ବିଜେପି : ଅଶ୍ୱିନୀ ବୈଷ୍ଣବ ମହାରାଷ୍ଟ୍ର ପ୍ରଭାରୀ ନିଯୁକ୍ତ
![ରାଜ୍ୟସଭା ନିର୍ବାଚନ ପାଇଁ ଦାୟିତ୍ୱ ଦେଲା ବିଜେପି : ଅଶ୍ୱିନୀ ବୈଷ୍ଣବ ମହାରାଷ୍ଟ୍ର ପ୍ରଭାରୀ ନିଯୁକ୍ତ](https://odishanewslens.com/news_gallery/13791_1654111448.jpg)
ରାଜ୍ୟସଭାର ୫୭ଟି ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ଏବେ ବିଜେପି ଜୋରସୋରରେ ଲାଗିପଡିଛି । ୪ ରାଜ୍ୟ ପାଇଁ ବିଜେପି ପକ୍ଷରୁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏହିକ୍ରମରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛି।
କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜସ୍ଥାନର ଦାୟିତ୍ୱ ଦିଆଯାଇଥିବାବେଳେ ହରିୟାଣା ପାଇଁ ଗଜେନ୍ଦ୍ର ସିଂ ଶେଖାୱତ୍, କର୍ଣ୍ଣାଟକ ପାଇଁ ଜି କିଶନ ରେଡ୍ଡୀ ଏବଂ ମହାରାଷ୍ଟ୍ର ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ସେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରି ରାଜ୍ୟସଭା ନିର୍ବାଚନକୁ ସୁରୁଖୁରରେ ତୁଲାଇ ପାରିବେ ବୋଲି ବିଜେପି ଆଶା ରଖିଛି।
ଜୁନ ଓ ଅଗଷ୍ଟ ମାସରେ ଖାଲି ହେବାକୁ ଥିବା ୧୫ଟି ରାଜ୍ୟର ମୋଟ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେପି ୨୨ ଜଣ ନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଓ ହରିଆଣାରେ କାର୍ତ୍ତିକେୟ ଶାର୍ମାଙ୍କୁ ସମର୍ଥନ କରିବ। ଉତ୍ତର ପ୍ରଦେଶରୁ ଦଳ ୮ ଜଣ, ମହାରାଷ୍ଟ୍ରରୁ ୩ ଜଣ, କର୍ଣ୍ଣାଟକାରୁ ୩ ଜଣ, ବିହାରରୁ ୨ ଜଣ, ମଧ୍ୟପ୍ରଦେଶରୁ ୨ ଜଣ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିଆଣା ଓ ଝାରଖଣ୍ଡରୁ ଜଣେ ଲେଖାଏ ପ୍ରାର୍ଥୀ ଘୋଷଣା କରିଛି।
Powered by Froala Editor