୬ ପିଲାଙ୍କୁ କୂଅରେ ଫିଙ୍ଗିଦେଲା ମା’, ତା ଭିତରେ ଥିଲା ୧୮ ମାସର ଶିଶୁ
କେମିତି ଜଣେ ମା’ ଏତେ ନିଷ୍ଠୁର ହୋଇପାରେ । କେମିତି ତାର ହାତ ଛୁଆଙ୍କୁ ହତ୍ୟା କରିବାକୁ ଯାଏ । ସତରେ କ’ଣ ରାଗ ଉପରେ ମମତା ହାର ମାନିଯାଏ । ଏମିତି ବହୁ ପ୍ରଶ୍ନ ମନରେ ଉଙ୍କି ମାରୁଥିଲେ ବି ଏହା ସତ ଯେ, ରାଗ ବ୍ରହ୍ମଚଣ୍ଡାଳ । ସେ ସମୟରେ ଭୁଲ ଠିକ୍ କିଛି ଜଣାପଡେନି । ନିଜ ପିଲାଙ୍କୁ ମମତା ଢାଳୁଥିବା ମା’ ବି ରାକ୍ଷସୀ ପାଲଟିଯାଇ ଜୀବନ ନେଇଯାଏ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା ମହାଡ ଅଞ୍ଚଳର ଡଲକାଠିରେ ।
ଡଲକାଠିରେ ସହାନୀ ନାମକ ମହିଳା ଜଣକ କୌଣସି କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ଝଗଡା କରିଥିଲେ। ଏହାପରେ ତାଙ୍କୁ ଶାଶୁଘରେ ଲୋକେ ମାରପିଟ୍ ମଧ୍ୟ କରିଥିଲେ। ଏଥିଯୋଗୁଁ ମହିଳା ଜଣକ ଅତ୍ୟନ୍ତ ରାଗିଯାଇଥିଲେ। ଏହାପରେ ସେ ନିଜର ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସୌଭାଗ୍ୟବସତଃ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ୬ଜଣ ଯାକ ଛଆଙ୍କ ମୃତ୍ୟୁ ହୋଇଛି।
ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଥିବା ଜଣାପଡିଛି। ମୃତ ଛୁଆଙ୍କ ବୟସ ୧୮ ମାସରୁ ୧୦ ବର୍ଷ ଭିତରେ ରହିଛି। ତେବେ ଏହି ଘଟଣା ପରେ ପୁଲିସ ପିଲାମାନଙ୍କୁ ହତ୍ୟା ଅଭିଯୋଗରେ ମାଆକୁ ଗିରଫ କରିଛି ।
ରାୟଗଡ ଜିଲ୍ଲା ଏସପି ଅଶୋକ ଦୁଧେ କହିଛନ୍ତି, “ମହିଳାଙ୍କ ସ୍ୱାମୀ ମଦ୍ୟପାନ କରି ତାଙ୍କୁ ସବୁବେଳେ ମାଡ ମାରୁଥିଲେ । ଆଉ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ସୋମବାର ଦିନ ବିବାଦ ପରେ ମହିଳାଜଣକ ପ୍ରଥମେ ସମସ୍ତ ପିଲାଙ୍କୁ କୂଅରେ ଫିଙ୍ଗିଦେଇଥିଲେ ଓ ଏହା ପରେ ନିଜେ ଡେଇଁପଡ଼ିଥିଲେ ।
Powered by Froala Editor