ଝୁଲି ପଡ଼ିଲେ ବଙ୍ଗୀୟ ଅଭିନେତ୍ରୀ ବିଦିଶା ମଜମୁଦାର
କୋଲକାତା: ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ବିଦିଶା ମଜମୁଦାର ଆତ୍ମହତ୍ୟା କରିଛନ୍ତି । ସେ ରହୁଥିବା ଫ୍ଲାଟ୍ରୁ ପୁଲିସ୍ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି ।
୨୧ ବର୍ଷୀୟା ବିଦିଶା ଗତ ୪ ମାସ ହେଲା ନଗର ବଜାରରେ ଏକ ଭଡ଼ା ଘରେ ରହୁଥିଲେ । ଗତ ମଙ୍ଗଳବାର ଠାରୁ ତାଙ୍କ ରୁମ୍ ଭିତରୁ ପଟୁ ବନ୍ଦ ରହିଥିଲା । ଯାହାକୁ ନେଇ ପଡ଼ୋଶୀ ସନ୍ଦେହ କରିଥିଲେ । ତାଙ୍କୁ ଡାକିଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା । ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ । ବୁଧବାର ସନ୍ଧ୍ୟାରେ ପୁଲିସ୍ ତାଙ୍କ ଫ୍ଲାଟ ନିକଟରେ ପହଞ୍ଚିଥିଲା । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ୍ ବିଦିଶାଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ।
ଏଥିରେ ଉଲ୍ଲେଖ ରହିଛି କ୍ୟାନସରରେ ପୀଡ଼ିତ ହେବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି । ମାତ୍ର ଏହାକୁ ତାଙ୍କ ପରିବାର ଓ ସାଙ୍ଗ ସାଥୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଦିଶା କ୍ୟାନସରରେ ଆକ୍ରାନ୍ତ ହେବା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେମାନେ କହିଛନ୍ତି ।
ବିଦିଶାଙ୍କ ନିକଟତମ କିଛି ବନ୍ଧୁ ନାମ ଗୋପନ ରଖି କହିଛନ୍ତି, ସେ ତାଙ୍କ ବୟଫ୍ରେଣ୍ଡଙ୍କ ପାଇଁ କିଛିଦିନ ହେଲା ଡିପ୍ରେସନରେ ରହୁଥିଲେ । ତାଙ୍କ ବୟଫ୍ରେଣ୍ଡ ଅନ୍ୟ ଯୁବତୀଙ୍କ ସହ ରିଲେସନ୍ରେ ରହୁଥିବା ଖବର ପାଇବା ପରଠୁ ଚିନ୍ତିତ ରହୁଥିଲେ । ଯେଉଁଥିପାଇଁ ବିଦିଶା ଆତ୍ମହତ୍ୟା କରିଛନ୍ତି । ପୁଲିସ୍ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।
Powered by Froala Editor