ମେଘାଳୟ ବିଧାନସଭା ଭବନରେ ଖସିପଡ଼ିଲା ୭୦ ଟନ୍ ଓଜନର ଇସ୍ପାତ ଗମ୍ବୁଜ
ଶନିବାର ରାତ୍ରୀରେ ମେଘାଳୟ ବିଧାନସଭା ଭବନର ଏକ ଗମ୍ବୁଜ ଭୁଶୁଡ଼ି ପଡିଛି। ତେବେ ଏହି ଗମ୍ବୁଜ ନବନିର୍ମିତ ହୋଇଥିବାବେଳେ କେମିତି ଭୁଶୁଡିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ତେବେ, ସୌଭାଗ୍ୟକୁ ଏହି ଅଘଟଣରେ କିନ୍ତୁ କେହି ମୃତାହତ ହୋଇନାହାନ୍ତି ।
ରାଜ୍ୟ ପିଡବ୍ଲ୍ୟୁଡି (ବିଲ୍ଡିଂ) ବିଭାଗର ଜଣେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ଅନୁଯାୟୀ, ଏକ ଡିଜାଇନ୍ ଜନିତ ତ୍ରୁଟି ପାଇଁ ନବ ନର୍ମିତ ଏହି ଇସ୍ପାତ ଗମ୍ବୁଜଟି ଭୁଶୁଡ଼ି ପଡ଼ିଛି। ଷ୍ଟିଲ୍ ଗମ୍ବୁଜର ଓଜନ ବୋଧହୁଏ ସ୍ତମ୍ଭ ଏବଂ ବିମ୍ ବହନ କରିବା କ୍ଷମତା ଠାରୁ ଅତ୍ୟଧିକ ଥିଲା ଏବଂ ଯାହାର ଫଳସ୍ୱରୂପ ସମଗ୍ର ନବ ନିର୍ମିତ ଅଂଶଟି ତଳକୁ ଖସି ପଡ଼ିଛି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସ୍ଥିତ ୟୁପିଏନଆରଏନଏଲ ଦ୍ୱାରା ୧୭୭.୭ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ଏହି ଗମ୍ବୁଜ ତିଆରି ହୋଇଥିଲା । ୭୦ ଟନ୍ ଓଜନ ବିଶିଷ୍ଟ ଏହି ଇସ୍ପାତ ଗମ୍ବୁଜ ଶନିବାର ରାତି ପ୍ରାୟ ୧୨ଟା ୩୦ ସମୟରେ ଭୁଶୁଡି ପଡିଥିଲା ବୋଲି ଅଧିକାରମାନେ କହିଛନ୍ତି। ଖବର ପାଇ ଆଜି ସକାଳେ ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ଇଞ୍ଜିନିୟରମାନେ କହିଛନ୍ତି ଯେ ଭୁଶୁଡ଼ି ପଡ଼ିଥିବା ସ୍ଥାନରେ ଆଉ ଏକ ନୂତନ ଗମ୍ବୁଜ ନିର୍ମାଣ କରିବାକୁ ଅତି କମରେ ଆଉ ୮ ମାସ ଲାଗିବ।
Powered by Froala Editor