ଜାମ୍ମୁ-ଶ୍ରୀନଗର ହାଇଓ୍ବେରେ ଟନେଲ ଭୁଶୁଡ଼ିଲା

ରାତିରେ କାମ ଚାଲିଥିବା ବେଳେ ହଠାତ୍ ଜାମ୍ମୁ-ଶ୍ରୀନଗର ହାଇଓ୍ବେର ମାକରକୋଟଠାରେ ନିର୍ମାଣ ଚାଲିଥିବା ଏକ ଟନେଲ ଭୁଶୁଡ଼ି ପଡ଼ିଛି । ଗତକାଲି ରାତିରେ ଟନେଲଟି ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିର୍ମାଣ କାର୍ଯ୍ୟରେ ନିୟୋଜିତ ୩ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ବୋଲି ରାମବନ ଡେପୁଟି କମିସନର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ୪୪ ନମ୍ବର ଜାତୀୟ ରାଜପଥର ଲ୍ୟାଣ୍ଡସାଇଡ ପ୍ରବଳ ଅଞ୍ଚଳରେ ବାଇ-ପାସ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଟି-୩ ସାଇଟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ୧୦ଜଣରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଖୁନୀ ନାଳ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇଣ୍ଡୋ-ତିବ୍ବେତାନ ବର୍ଡର ପୁଲିସ(ITBP)ର ୧୫ତମ ବାଟାଲିୟ ସନ୍ଧାନକାରୀ କୁକୁର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଜେସିବି ସାହାଯ୍ୟରେ ବଡ଼ ବଡ଼ ପଥରକୁ ହଟା ଯାଉଛି। ଘଟଣାରେ ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣା ଉପରେ ନିୟମିତ ଭାବେ ନଜର ରଖିଛନ୍ତି।
Powered by Froala Editor