୯ରୁ ଗଡ଼ିବନି ୨୮ଟି ଟ୍ରେନ୍

ଆସନ୍ତା ୯ରୁ ଦିଲ୍ଲୀରୁ ଗଡ଼ିବନି ରାଜଧାନୀ ଏକ୍ସପ୍ରେସ୍ ସହ ଶତାବ୍ଦୀ ଓ ଦୂରନ୍ତ । ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ଏଭଳି ୨୮ଟି ଟ୍ରେନକୁ କରୋନା ସଂକ୍ରମଣ ବଢ଼ୁଥିବାରୁ ରେଲୱେ ବାତିଲ୍ କରି ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଜାରି ତାଲିକା ଅନୁସାରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ବାତିଲ୍ ହୋଇନାହିଁ ।
ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗୋଟିଏ ପରେ ଗୋଟିଏ କଟକଣା ସରକାର ଲଗାଉଛନ୍ତି। ସଂକ୍ରମଣ ଚେନ୍ ଭାଙ୍ଗିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଭଳି କଟକଣା ଲାଗିଥିବା ବେଳେ ଏବେ ଟ୍ରେନ୍ ଚଳାଚଳ ଉପରେ ସଂକ୍ରମଣ ପ୍ରଭାବ ପଡ଼ିବାକୁ ଯାଉଛି। ଦିଲ୍ଲୀରେ ଚଳାଚଳ ହେଉଥିବା ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍ ସମେତ ୨୮ ଟ୍ରେନକୁ ମେ ୯ରୁ ବନ୍ଦ କରିବାକୁ ଭାରତୀୟ ରେଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ନୂଆ ଏସଓପି ଜାରି କରିଛି । ଷ୍ଟେସନ ଓ ଟ୍ରେନକୁ କେବଳ ଟିକେଟ ସଂରକ୍ଷିତ ଥିବା ଯାତ୍ରୀ ପ୍ରବେଶ କରିପାରିବେ । ୱେଟିଂ ଲିଷ୍ଟରେ ଥିଲେ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ ।
ଯାତ୍ରା ବେଳେ ରେଲୱେ ତରଫରୁ ଯାତ୍ରୀଙ୍କୁ ବ୍ଲାଙ୍କେଟ ଦିଆଯିବ ନାହିଁ । ରାଜଧାନୀ ଭଳି ଟ୍ରେନରେ ଟିକେଟ ସହ ଖାଦ୍ୟ ମିଳିବ ନାହିଁ । ଟ୍ରେନ କିମ୍ବା ଷ୍ଟେସନରେ ମାସ୍କ ପିନ୍ଧି ନଥିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଯାତ୍ରା ସମୟରେ ଯାତ୍ରୀ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରେଲୱେ ପକ୍ଷରୁ କୁହାଯାଇଛି ।
ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୯୮୦ ଲୋକଙ୍କ ଜୀବନ ନେଇଛି କରୋନା। ଗତବର୍ଷ ଭଳି ପୁଣି କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ପୁଣିଥରେ ଟ୍ରେନ୍ ଚଳାଚଳ ବନ୍ଦ ହେବାକୁ ଯାଉଛି।
Powered by Froala Editor