ଇସ୍ତଫା ଦେଲେ ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲ

ହଠାତ୍ ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ଦୀର୍ଘ ଦିନ ହେଲା ଦିଲ୍ଲୀର କ୍ଷମତାସୀନ ଆପ୍ ସରକାରଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ଆଜି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା କୁହାଯାଇଛି। ହେଲେ ଶ୍ରୀ ବୈଜଲ ବ୍ୟକ୍ତିଗତ କାରଣରୁ ଏପରି ପଦକ୍ଷେପ ନେଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବୈଜଲ ଗତ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫ ବର୍ଷ ପୂରଣ କରିଥିଲେ । ତେବେ ଉପ-ରାଜ୍ୟପାଳଙ୍କ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବାରୁ ସେ ଏ ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟ କରିଆସୁଥିଲେ । ଏହାପୂର୍ବରୁ ଉପ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ନଜୀବ ଜଙ୍ଗ ହଠାତ୍ ନିଜ ପଦରୁ ଇସ୍ତଫା ଦେବାରୁ ବୈଜଲଙ୍କୁ ଦାୟିତ୍ୱ ମିଳିଥିଲା। କିନ୍ତୁ ସେ ମଧ୍ୟ ଇସ୍ତଫା ଦେଇଛନ୍ତି।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ସେ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟିକରୁଥିବା କେଜ୍ରିଓ୍ବାଲ ପୂର୍ବରୁ ଏକାଧିକ ଥର ଅଭିଯୋଗ କରିଛନ୍ତି ।
୧୯୬୯ ବ୍ୟାଚ ୟୁନିଅନ ଟେରିଟରି କ୍ୟାଡରର ଆଇଏଏସ ଅଧିକାରୀ ଅନୀଲ ବୈଜଲ ପୂର୍ବରୁ କେନ୍ଦ୍ର ଗୃହ ସଚିବ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ(ଡିଡିଏ)ର ଉପସଭାପତି ଓ ଇଣ୍ଡିଆନ ଏୟାରଲାଇନ୍ସ, ପ୍ରସାରଭାରତୀର ମୁଖ୍ୟଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଗୋଆର ଉନ୍ନୟନ କମିଶନର ଭାବେ କାମ କରିଛନ୍ତି ।
Powered by Froala Editor