ବଜ୍ରପାତରେ ୬ ମୃତ

ଭୁବନେଶ୍ୱର : ଅଦିନ କାଳବୈଶାଖୀ ଓ ବଜ୍ରପାତ ଅଚାନକ ଯେମିତି ଆସେ, କେଉଁ ଛଟକରେ ସେମିତି ପ୍ରାଣ ବି ନେଇଯାଏ! ରାଜ୍ୟର କେତେକ ସ୍ଥାନରେ ଏହିଭଳି ବିପର୍ଯ୍ୟୟ ଆଜି ୬ ଜଣଙ୍କ ପ୍ରାଣ ନେଇଛି । ୬ ଜଣଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ନାବାଳକ/ନାବାଳିକା ।
ଗୋଟିଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମରେ । ଆଜି ଅପରାହ୍ନ ସାଢେ଼ ୪ଟାରେ କାଳବୈଶାଖୀ ତାଣ୍ଡବ ରଚାଇଥିଲା । ଘଡ଼ଘଡ଼ି ସହ ବର୍ଷା ଓ ପବନ ବି ବୋହିଥିଲା । ଏହି ସମୟରେ ଏକ ବିରାଟ ଗଛ ପଡ଼ିଯାଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ, କାହ୍ନା ପ୍ରଧାନ (୧୦) ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୭୦) ।
କଟକ ଅନ୍ତର୍ଗତ ତିନିଘରିଆ ଗ୍ରାମ ଆମ୍ବତୋଟାରେ ଆମ୍ବ ଗୋଟାଇବା ସମୟରେ ବି ସେହିଭଳି ଏକ ଅଘଟଣ ଘଟିଛି । ବଜ୍ରପାତ ହେବାରୁ ୨ ଜଣଙ୍କର ପ୍ରାଣହାନି ଘଟିଛି । ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୪ଟା ବେଳେ ଜୋରରେ ପବନ ଓ ବର୍ଷା ହେବାରୁ ତିନିଘରିଆ ଆମ୍ବତୋଟାକୁ ବହୁ ଲୋକ ଆମ୍ବ ଗୋଟାଇବାକୁ ଯାଇଥିଲେ । ଠିକ ୫ଟା ସମୟରେ ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ହେବାରୁ ସେଠାରେ ଥିବା ଟିଟୁଆ ସାମଲ ଟଳିପଡ଼ିଥିଲେ । ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡ଼ିଛି ।
ସେହିଭଳି, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ଦିନ ପ୍ରାୟ ୪ଟା ୩୦ ମିନଟ ସମୟରେ ବଜ୍ରପାତରେ ଦୁଇଜଣ ନାବାଳିକା ମୃତୁ୍ୟବରଣ କରିଛନ୍ତି ଏବଂ ଜଣେ ଗୁରୁତର ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତ ନାବାଳିକା ହେଲେ, ହୀରାଦେଇ ଭତ୍ରା (୧୨), ଊର୍ମିଳା ଭତ୍ରା (୧୩) । ଏହି ତିନୋଟି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।
Powered by Froala Editor