ପୁରୀ ବିଧାୟକ ଚାପରେ ଅଛନ୍ତି: ଜୁଏଲ
ଭୁବନେଶ୍ୱର: ପୁରୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ଚାଲିଥିବା କାମକୁ ନେଇ ଆଜି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁହଁ ଖୋଲିଛନ୍ତି ।ସେ ନିଜ ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବର୍ତ୍ତମାନ ଯେଉଁ ନିର୍ମାଣ କାର୍ୟ୍ୟ ଚାଲୁଛି, ତାହାକୁ ବିଜେପି ବିରୋଧ କରୁଥିବା ବେଳେ ତାଙ୍କରି ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ମତ ସ୍ପଷ୍ଟ ବୋଲି ଜଣାଇବାକୁ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ସେଥିରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିବା କହିଥିଲେ। ତା’ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ତୁରନ୍ତ ଏହି ପ୍ରକଳ୍ପ କାମ ସାରିବାକୁ ସେ ନିବେଦନ କରିଥିଲେ। ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଏପରି ମତ ବିଭିନ୍ନ ବର୍ଗକୁ ଆଶ୍ଚର୍ୟ୍ୟ କରିଥିବା ବେଳେ ଆଜି ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ତାଙ୍କରି ଦଳର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ।
ଶ୍ରୀ ଓରାମ କହିଛନ୍ତି, ବିଧାୟକଙ୍କର ବୋଧେ ହିସାବ କିତାବରେ କିଛିଟା ଭୁଲ୍ ହୋଇଯାଇଛି। କିଛି ଲୋକ ବା ଏକ ଗ୍ରୁପ୍ ଏଭଳି ବେଆଇନ କାମକୁ ସମର୍ଥନ କରୁଛନ୍ତି। ବିଧାୟକଙ୍କ ଉପରେ ସେମାନଙ୍କ ପ୍ରଭାବ ପଡ଼ିଥାଇପାରେ। କିଛି ଲୋକେ ବୋଧେ ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି। ବିଧାୟକଙ୍କୁ ଡାକି କଥାବାର୍ତ୍ତା କରିବା ରାଜ୍ୟ ବିଜେପି ସଭାପତିଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି।
ଏହା ସହିତଶ୍ରୀ ଓରାମ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସେଠାରେ ଯାହା ହେଉଛି, ତାହା ବେଆଇନ। ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପ୍ରକଳ୍ପ କାମ କରୁଛନ୍ତି। ଏହା ସ୍ଥଗିତ ହେବା ଦରକାର। ସୌନ୍ଦର୍ୟ୍ୟକରଣ ନାଁରେ ଏମାନେ ଓଲଟାସିଧା କାମ କରୁଛନ୍ତି। ହାଇକୋର୍ଟ ଏହା ଉପରେ ଷ୍ଟେ ଅର୍ଡର ଦେବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ୟ୍ୟ ବେଆଇନ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ପୁରୀ ବିଧାୟକ ଖୋଲାଖୋଲି କହିଛନ୍ତି ଯେ ସେ ଏହାକୁ ପ୍ରାରମ୍ଭରୁ ସମର୍ଥନ କରି ଆସୁଛନ୍ତି ଓ ଶେଷ ପର୍ୟ୍ୟନ୍ତ ସମର୍ଥନ କରିବେ।
Powered by Froala Editor