ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପରିକ୍ରମା ପ୍ରକଳ୍ପ କାମ କରୁଛନ୍ତି:ଜୁଏଲ ଓରାମ
ଭୁବନେଶ୍ୱର: ଦେଶରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଉଥିବା ବେଳେ ଦିଲ୍ଲୀ ଠାରୁ ଓଡିଶା ପର୍ୟ୍ୟନ୍ତ ଧାର୍ମିକ ସ୍ଥଳ ଓ ଧର୍ମକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଏହି କ୍ରମରେ ଉତ୍ତର ପ୍ରଦେଶରେ ଥିବା ଜ୍ଞାନବାପୀ ମସଜିଦକୁ ନେଇ ସର୍ଭେ ଆରମ୍ଭ ହୋଇଥିବା ବେଳେ ପୁରୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ଚାଲିଥିବା କାମକୁ ନେଇ ବିରୋଧୀଦଳ ରାଜନୀତିରେ ମାତିଛନ୍ତି । ଏସବୁ ଭିତରେ ଆଜି ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁହଁ ଖୋଲିଛନ୍ତି । ଏହି ପ୍ରସଙ୍ଗରେ ସାଂସଦ ଶ୍ରୀ ଓରାମ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେଠାରେ ଯାହା ହେଉଛି, ତାହା ବେଆଇନ। ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପ୍ରକଳ୍ପ କାମ କରୁଛନ୍ତି। ଏହା ସ୍ଥଗିତ ହେବା ଦରକାର। ସୌନ୍ଦର୍ୟ୍ୟକରଣ ନାଁରେ ଏମାନେ ଓଲଟାସିଧା କାମ କରୁଛନ୍ତି। ହାଇକୋର୍ଟ ଏହା ଉପରେ ଷ୍ଟେ ଅର୍ଡର ଦେବାର ଆବଶ୍ୟକତା ରହିଛି।
ସେହିପରି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଜୁଏଲ ଓରାମ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସାଂସଦ ପିନାକୀ ମିଶ୍ର ଏ ପ୍ରସଙ୍ଗରେ ଡାହା ମିଛ କହିଥିଲେ।
ସୂଚନାଯୋଗ୍ୟ, ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ୟ୍ୟ ବେଆଇନ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ପୁରୀ ବିଧାୟକ ଖୋଲାଖୋଲି କହିଛନ୍ତି ଯେ ସେ ଏହାକୁ ପ୍ରାରମ୍ଭରୁ ସମର୍ଥନ କରି ଆସୁଛନ୍ତି ଓ ଶେଷ ପର୍ୟ୍ୟନ୍ତ ସମର୍ଥନ କରିବେ।
Powered by Froala Editor