ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଳବ କୁମାର ଦେବ

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ ଆଜି ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ବିଜେପି ବିଧାୟକ ଦଳର ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବା ନେଇ ସୂଚନା ମିଳିଛି। ବିଧାୟକ ଦଳର ବୈଠକକୁ ସଂଚାଳନ ପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ, ବିଜେପି ସାଧାରଣ ସମ୍ପାଦକ ବିଶ୍ୱନାଥ ତାୱଡେଙ୍କୁ ଦାୟିତ୍ୱ ଦିଆଯାଇଛି।
କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଇସ୍ତଫା ଦେଇଛନ୍ତି, ତାହା ଜଣା ପଡିନାହିଁ। ତେବେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ନିଷ୍ପତ୍ତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ହାଇକମାଣ୍ଡଙ୍କ ନିର୍ଦେଶରେ ନିଜ ପଦ ଛାଡିଛନ୍ତି।
ଗୁରୁବାର ଦିଲ୍ଲୀ ଗସ୍ତ କରି ବିପ୍ଳବ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ଅବସରରେ ତ୍ରିପୁରାରେ ଦଳୀୟ ମାମଲା ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ବିଜେପିରେ ତୀବ୍ର ଅନ୍ତଃକଳହ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଡେପୁଟି ମୁଖ୍ୟମନ୍ତ୍ରୀ ଥିବା ଜିଷ୍ଣୁଦେବ ବର୍ମାଙ୍କୁ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ୨୦୨୩ ମସିହାରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ସହ ତ୍ରିପୁରାରେ ଏନେଇ ବିଜେପି ବଡ଼ ଧରଣର ଅଦଳବଦଳ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇସ୍ତଫା ପରେ ବିପ୍ଲବ ଦେବ ସଂଗଠନର ଯେକୌଣସି ପଦବୀ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।
Powered by Froala Editor