ବଡ଼ ନିଷ୍ପତ୍ତି ନେଲେ ସରକାର : ଗହମ ରପ୍ତାନୀରେ ରୋକ

ଗହମ ରପ୍ତାନିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାକୁ ପ୍ରତିବନ୍ଧିତ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଆଉ ଗହମ ବାହାରକୁ ଯାଇପାରିବନି । ଅନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ଗହମ ମୂଲ୍ୟ ଲମ୍ବା ଡିଆଁ ମାରୁଥିବା ବେଳେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର।
ସୂଚନା ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ଗହମର ଚାହିଦା ବଢ଼ୁଥିବା ବେଳେ ଗହମର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରଭାବ ଯୋଗୁ ବର୍ତ୍ତମାନ ଗହମର ଚାହିଦା ବଢ଼ିବାରେ ଲାଗିଛି । ଏମିତି କି ଗହମର ମୂଲ୍ୟ ୪୦% ବୃଦ୍ଧି ପାଉଥିବା କାରଣରୁ ଅନ୍ୟ ଦେଶ ଗୁଡ଼ିକ ଗହମକୁ ନେଇ ଚିନ୍ତାପ୍ରକଟ କଲେଣି । ତେଣୁ କେନ୍ଦ୍ର ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗହମ ରପ୍ତାନି ଉପରେ ରୋକ୍ ଲଗାଇଥିବା ଜଣାପଡ଼ିଛି । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (DGFT) ଶୁକ୍ରବାର ସନ୍ଧ୍ୟାରେ ଏକ ନୋଟିଫିକେସନ ଜାରି କରି ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛି। କିନ୍ତୁ ମେ’ ୧୩ ପୂର୍ବରୁ ଗହମ ରପ୍ତାନୀ ନିମନ୍ତେ ଯେଉଁ ଅର୍ଡର ପାସ୍ ହୋଇଛି, ତାହା ରପ୍ତାନୀ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ନିର୍ଦ୍ଦେଶାନାମାରେ ସରକାର ଉଲ୍ଲେଖ କରିଛନ୍ତି, ଗହମ ରପ୍ତାନୀ ସେହି ଦେଶମାନଙ୍କୁ କରାଯାଇ ପାରିବ, ଯେଉଁଥିପାଇଁ ସରକାର ଅନୁମତି ଦେବେ। ଏପରି କ୍ଷେତ୍ରରେ ଗହମ ଆବଶ୍ୟକ କରୁଥିବା ବିକାଶଶୀଳ ଦେଶର ସରକାରଙ୍କ ଆଗ୍ରହକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା ସେଠାକାର ନାଗରିକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
Powered by Froala Editor