ରାୟପୁର ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ମୃତ

ଗୁରୁବାର ରାତିରେ ଛତିଶଗଡ଼ ରାୟପୁର ବିମାନବନ୍ଦରରେ ସରକାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଦୁଇ ପାଇଲଟ୍ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ହସପିଟାଲ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରର ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି।
ସୂଚନା ଅନୁସାରେ, ଏହି ହେଲିକପ୍ଟରଟି ଛତିଶଗଡ଼ ସରକାରଙ୍କର। ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଭୂପେଶ ବଘେଲ ଟ୍ୱିଟ୍ କରି ଲେଖିଛନ୍ତି “ଏବେ ରାୟପୁର ଏୟାରପୋର୍ଟରେ ଷ୍ଟେଟ୍ ହେଲିକପ୍ଟର କ୍ରାସ୍ ହେବାର ଦୁଃଖଦ ଖବର ମିଳିଛି। ଏହି ଦୁଃଖଦ ଘଟଣାରେ ଆମର ଦୁଇ ପାଇଲଟ କ୍ୟାପ୍ଟେନ୍ ପଣ୍ଡା, ଓ କ୍ୟାପ୍ଟେନ୍ ଶ୍ରୀବାସ୍ତବଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାରେ ଈଶ୍ୱର ତାଙ୍କ ପରିବାରଜନକୁ ସମ୍ବଳ ଦେବା ସହିତ ଦିମ୍ବଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”
Powered by Froala Editor