କାଲିଠୁ ‘ଅସାନି’ ପ୍ରଭାବ, ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା
ଭୁବନେଶ୍ୱର : ଘଣ୍ଟାକୁ ୨୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଗତି କରୁଛି ଭୀଷଣ ବାତ୍ୟା ‘ଅସାନି’। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଥିବା ଭୀଷଣ ବାତ୍ୟା ‘ଅସାନି’ ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି। ‘ଅସାନି’ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦେଇଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷିବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷା ହେବ। ଏହା ସହ ୧୨ ତାରିଖରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଚାନ୍ଦବାଲି, ଗୋପାଳପୁର, ପାରାଦୀପ, ପୁରୀ ସିଗନାଲ ପୋର୍ଟରେ ବିପଦ ସଙ୍କେତ-୨ ଜାରି କରାଯାଇଛି।
Powered by Froala Editor