ବ୍ରଜରାଜଗନର ଉପନିର୍ବାଚନ: ୩୧ରେ ଭୋଟ

ଭୁବନେଶ୍ବର: ବାଜିଛି ବ୍ରଜରାଜନଗର ନଗର ଉପ ନିର୍ବାଚନ ନେଇ ବିଗୁଲ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିଶନ । ମେ ୩୧ରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଜୁନ ୩ ରେ ପ୍ରକାଶ ପାଇବ ଫଳାଫଳ ।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ମେ ୩୧ ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଜୁନ ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଉପ ନିର୍ବାଚନ ପାଇଁ ମେ ୪ ତାରିଖରେ ଗଜେଟ ନୋଟିଫିକେସନ ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୧୧ ତାରିଖରେ ରହିଛି । ମେ ୧୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୭ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଏହି ଆସନଟି ଖାଲି ପଡିଛି । ଡିସେମ୍ବର ୩୦ ତାରିଖରେ କିଶୋରଙ୍କର ହୃଦଘାତରେ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା କିଶୋର ମହାନ୍ତି ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଝାରସୁଗୁଡାରୁ ୩ ଥର ବିଧାୟକ ହୋଇଥିବା କିଶୋର ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଆସିଥିଲେ ।
Powered by Froala Editor