ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ ଡାକରା
ଦେବଗଡ଼ : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା । ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକଙ୍କ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ ଘଟଣାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଚକଅଖ ବନ୍ଦ ରହିବ।ଏଥିପାଇଁ ସକାଳୁ ପିକେଟିଂ ଆରମ୍ଭ କରିଛନ୍ତି ବିଜେପିକର୍ମୀ । କେବଳ ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି। ଦେବଗଡ଼ ବିଧାୟକଙ୍କୁ ଅନ୍ୟାୟ ଭାବେ ଗିରଫ ଦାବିକୁ ଦୃଢ଼ ପ୍ରତିବାଦ ଓ ତିଲେଇବଣୀ ବିଡିଓଙ୍କ ଗିରଫ କରିବାକୁ ଦାବିରେ ବନ୍ଦ ପାଳନ କରାଯାଉଛି।
ସୂଚନାଯୋଗ୍ୟ ଯେ, ତିଳେଇବଣି ବିଡିଓଙ୍କୁ ଦେବଗଡ ବିଧାୟକଙ୍କ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବିଡିଓ ଜିଲାପାଳଙ୍କୁ ଜଣାଇବା ସହ ପରେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ବରରୁ ଦେବଗଡ ଆଦର୍ଶ ଥାନା ପୋଲିସ ଗିରଫ କରିଥିଲା। ଗିରଫ ପରେ ବିଧାୟକଙ୍କୁ ଦେବଗଡ ପୋଲିସ ଆଣୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇଥିଲେ। ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ବିଧାୟକଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଫଳରେ ଦେବଗଡ଼ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ତିଲେଇବଣୀ ବିଡିଓଙ୍କ ଗିରଫ କରିବାକୁ ଦାବିରେ ସକାଳ ୬ଟାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଛକରେ ବିଜେପି ପକ୍ଷରୁ ଆନ୍ଦୋଳନ କରିବା ପିକେଟିଂ କରୁଛନ୍ତି କର୍ମୀ।
Powered by Froala Editor