ପୁଣି ଥରେ ଫ୍ରାନ୍ସ ଶାସନ କ୍ଷମତାର ମଙ୍ଗ ଇମାନୁଏଲ ମାକ୍ରନ୍ଙ୍କ ହାତରେ
ଇମାନୁଏଲ ମାକ୍ରନ୍ ପୁଣି ଥରେ ଫ୍ରାନ୍ସରେ ଶାସନ କ୍ଷମତାର ମଙ୍ଗ ଧରିଛନ୍ତି । ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଫ୍ରାନ୍ସ୍ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଫ୍ରାନ୍ସ୍ର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ବନ୍ଧୁ ଇମାନୁଏଲ ମାକ୍ରନ୍ । ଭାରତ-ଫ୍ରାନ୍ସ୍ ସାମରିକ ଭାଗିଦାରିତା ସୁଦୃଢ଼ କରିବା ଲାଗି ଏକତ୍ର କାର୍ଯ୍ୟ ଚାଲୁ ରଖିବା ପାଇଁ ଆଶା କରୁଛି।
ଇମାନୁଏଲ ମାକ୍ରନ୍ ଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍ଙ୍କ ସହିତ ଲଢ଼େଇ ହୋଇଥିଲା। ତେବେ କଡ଼ା ଟକ୍କର ମଧ୍ୟରେ ମାକ୍ରନ୍ ୫୮ ପ୍ରତିଶତ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି। ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରନ୍ଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।
ବିଶ୍ବର ଅନ୍ୟାନ୍ୟ ନେତାମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ମାକ୍ରୋନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ‘ୟୁରୋପିଆନ୍ କାଉନ୍ସିଲ୍ ପ୍ରେସିଡେଣ୍ଟ୍ ଚାର୍ଲସ୍ ମାଇକେଲ୍ ଲେଖିଛନ୍ତି, ଏଭଳି ଅଶାନ୍ତ ସମୟରେ ଆମେ ସୁଦୃଢ଼ ୟୁରୋପ ଏବଂ ଅଧିକ ସାର୍ବଭୌମ ଏବଂ ଅଧିକ ରଣନୈତିକ ୟୁରୋପୀୟ ସଂଘ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିବା ଫ୍ରାନ୍ସ୍ ଆବଶ୍ୟକ କରୁଛୁ।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଗତରାତିରେ ଟୁଇଟ୍ କରି ଲେଖିଛନ୍ତି, ନିର୍ବାଚନୀ ବିଜୟ ଲାଗି ରାଷ୍ଟ୍ରପତି ତଥା ସଚ୍ଚା ଦୋସ୍ତ୍ ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଅଭିନନ୍ଦନ।
Powered by Froala Editor