ଆଜିଠୁ ନୋଡାଲ୍ ସେଣ୍ଟର୍କୁ ଯିବ ମାଟ୍ରିକ୍ ପ୍ରଶ୍ନପତ୍ର
କଟକ: ଆସନ୍ତା ୨୯ରୁ ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ୍-୨ ତଥା ମାଟ୍ରିକ୍ ପରୀକ୍ଷା ସମେତ ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି), କରେସପେଣ୍ଡେଣ୍ଟ୍ କୋର୍ସ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ଶୁକ୍ରବାର ଠାରୁ ବୋର୍ଡ କାର୍ୟ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟରଗୁଡ଼ିକୁ ପଠାଯିବ । ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି ।
ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ପାଇଁ ବୋର୍ଡ କାର୍ୟ୍ୟାଳୟ ପକ୍ଷରୁ ଏକ ଏସ୍ଓପି ଜାରି କରାଯାଇଛି । ୨୪ ଘଣ୍ଟିଆ ପୁଲିସ୍ ମୁତୟନ ସହିତ ବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ସିଫ୍ଟ ଅନୁସାରେ ଡ୍ୟୁଟିରେ ରହିବେ । ସେହିପରି ପରୀକ୍ଷାର ଧାର୍ୟ୍ୟ ସମୟ ପୂର୍ବରୁ ପରୀକ୍ଷାକେନ୍ଦ୍ର ଗୁଡିକରେ ପ୍ରଶ୍ନ ଏବଂ ଖାତାପତ୍ର କିପରି ସୁରକ୍ଷିତ ଭାବେ ପହଞ୍ଚିବ ସେଥିପାଇଁ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ନିଜନିଜ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେବେ । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟର କରାଯାଇଛି । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
Powered by Froala Editor