ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ : ଜଣେ ବି ପଜିଟିଭ ବାହାରିଲେ ସ୍କୁଲ ବନ୍ଦ ହେବ
ପୁଣିଥରେ ଡରାଇଲାଣି ମହାମାରୀ କରୋନା । ବିଶେଷ କରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଯୋଗୁ ଭୟର ବାତାରଣ ସୃଷ୍ଟି ହୋଇଛି। ଦିଲ୍ଲୀର କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ସ୍କୁଲରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଦିଲ୍ଲୀ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ସ୍କୁଲରେ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି, ତେବେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ସ୍କୁଲରେ କେହି କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ତୁରନ୍ତ ଡିଓଇକୁ ଏହା ବିଷୟରେ ଅବଗତ କରାଇବାକୁ ହେବ। ଏଥି ସହିତ, ବିଦ୍ୟାଳୟର ସେହି ଶାଖା କିମ୍ବା ପୁରା ବିଦ୍ୟାଳୟକୁ ତୁରନ୍ତ ବନ୍ଦ କରିବାକୁ ପଡିବ। ନିର୍ଦ୍ଦେଶାବଳୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ସାମାଜିକ ଦୂରତା ଅନୁସରଣ କରିବା, ନିୟମିତ ଭାବେ ହାତ ଧୋଇବା ଏବଂ କରୋନା ସଂକ୍ରମଣ ନେଇ ସଚେତନ ହେବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ଗୋଟିଏ ଘରୋଇ ସ୍କୁଲରୁ ହିଁ ଏଭଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସ୍କୁଲଟି ଗାଜିବାଦ ଓ ନୋଏଡା ନିକଟରେ ରହିଛି। ପୂର୍ବରୁ ଏହି ଦୁଇ ଅଞ୍ଚଳରେ ଥିବା ଅନେକ ସ୍କୁଲରୁ ଛୋଟଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା। ସ୍କୁଲରୁ ଆକ୍ରାନ୍ତ ଚିହ୍ନଟ ହେବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି।
Powered by Froala Editor