କୁସୁପୁର ଗଣହତ୍ୟା ମାମଲା: ଆଜିଠୁ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ
ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇ ଶିବକୁ ଘାଣ୍ଟିବ ପୁଲିସ୍। ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍ ଆବେଦନ କରିଥିଲା । ତେବେ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ପୁଲିସ୍ ଶିବ ସାହୁକୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ।
ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ପ୍ରଥମେ କୌଣସି ନିଶାଦ୍ରବ୍ୟ ପ୍ରୟୋଗ କରିବା ପରେ ହତ୍ୟାକାଣ୍ଡ ଭିଆଇଛି କି ଶିବ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ୍ ଚେଷ୍ଟା କରିବ ।
ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ବେଳେ ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କଲା। ଜଣେ ମଧ୍ୟବୟସ୍କ ବ୍ୟକ୍ତି ୫ ଜଣଙ୍କୁ ହତ୍ୟା କରିବା ପରେ କିପରି ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ୱାଭାବିକ ରହିଲା, ତା’ ଲୁଗାପଟାରେ ରକ୍ତ ଛିଟା ଲାଗିଥିଲା ନା ନାହିଁ, ଲାଗିଥିଲେ ତାହାକୁ କେଉଁଠି ଲୁଚାଇ ରଖିଛି ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ଶିବକୁ ଘାଣ୍ଟିବ ପୁଲିସ୍।
Powered by Froala Editor