ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବୋହିନେଲେ ବିଅର
ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବୋହିନେଲେ ବିଅର ବୋତଲ । କିଏ ଅଣ୍ଟାରେ ପୂରାଇ ବୋହି ନେଲା ତ ଆଉ କଏ ବ୍ୟାଗରେ । ଡ୍ରାଇଭର ଓ ହେଲପରଙ୍କୁ ବଞ୍ଚାଇବା ଦୂରର କଥା ସେମାନଙ୍କୁ କେହି ଦେଖିଲେନି । ଏପରିକି ଛୋଟ ଛୋଟ ପିଲା ଓ ମହିଳାମାନେ ବିଅର ବୋତଲ ନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଗୁଳେହି ଛକ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଚୌଦ୍ଵାରରୁ ଅନଗୁଳ ଆଡ଼କୁ ଯାଉଥିଲା । ଟ୍ରକରେ ଥିଲା ଶତାଧିକ ବିଅର ପେଟି । ଭାରସାମ୍ୟ ହରାଇ ଗୁଳେହି ଛକ ନିକଟସ୍ଥ ଏକ ବ୍ରିଜ ତଳକୁ ଓଲଟି ପଡିଥିଲା ଟ୍ରକଟି । ଟ୍ରକ୍ ଓଲଟି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ସେମାନେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ରୁ ହେଲ୍ପର ଓ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ପେଟି ପେଟି ବିଅର ବୋତଲକୁ ବୋହି ନେଇଥିଲେ। କିଛି ମିନିଟ୍ ଭିତରେ ଟ୍ରକ୍ ଖାଲି ହୋଇଯାଇଥିଲା। ସୌଭାଗ୍ୟବଶତଃ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡ଼ିଛି ।
Powered by Froala Editor