ବିଳମ୍ବିତ ହେବ ଆଲିଆ-ରଣବୀରଙ୍କ ବିବାହ
ମୁମ୍ବାଇ : ବଲିଉଡ଼ ତାରକା ଯୋଡ଼ି ଆଲିଆ ଭଟ୍ଟ ଓ ରଣବୀର କାପୁରଙ୍କ ବିବାହକୁ ନେଇ ବଲିଉଡ଼ରେ ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ଅପ୍ରେଲ ୧୪ରେ ଆଲିଆଙ୍କ ସହ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥା’ନ୍ତେ । କିନ୍ତୁ ସେମାନଙ୍କ ବିବାହ ବିଳମ୍ବିତ ହେବବୋଲି ପରିବାର ପକ୍ଷରୁ ସଂକେତ ଦିଆଯାଇଛି । ଆଲିଆ ଓ ରଣବୀରଙ୍କ ବିବାହ ତାରିଖ କାହିଁକି ଘୁଂଚିବ ତାହାକୁ ନେଇ ସେମାନଙ୍କ ଫ୍ୟାନଙ୍କ ମନରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଆଲିଆ-ରଣବୀରଙ୍କ ବିବାହ କେବେ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ । କେତେକ ଅପ୍ରେଲ ୧୪ ବୋଲି କହୁଥିବାବେଳେ ଅନ୍ୟ କେତେକ ଅପ୍ରେଲ ୧୫ ବୋଲି କହୁଛନ୍ତି । ଆଉ କେହିକେହି ବର୍ତ୍ତମାନ ପାଇଁ ସ୍ଥଗିତ ଥିବା କଥା କହୁଛନ୍ତି । ବିଶେଷକରି ରଣବୀରଙ୍କ ମା’ ନୀତୁ କାପୁରଙ୍କ ଉତ୍ତର ଏହି ଚର୍ଚ୍ଚାକୁ ଆହୁରି ରୋଚକ କରିଛି । ଆଲିଆଙ୍କ ମାମୁଁ ରବୀନ ଭଟ୍ଟ କହିଛନ୍ତିଯେ, ଆଗାମୀ ୧୩ରେ ମେହେନ୍ଦୀ ସମାରୋହ ଏବଂ ୧୪ରେ ସେମାନଙ୍କ ବିବାହ ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଏବେ ବାହାଘର ତାରିଖ ପରିବର୍ତ୍ତନ ହୋଇପାରେ । ସେହିପରି ଆଲିଆଙ୍କ ଭାଇ କହିଛନ୍ତିଯେ, ପୂର୍ବରୁ ଅପ୍ରେଲ ୧୪ରେ ସେମାନଙ୍କ ବାହାଘର ପାଇଁ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଗଣମାଧ୍ୟମରେ ସୂଚନା ଲିକ ହେବା ପରେ ଏହାକୁ କିଛିଦିନ ଘୁଞ୍ଚାଇ ଦେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ପାଇଁ ଏଭଳି କରାଯାଉଥିବା ଚର୍ଚ୍ଚା ହେଉଛି ।
Powered by Froala Editor