କଟକ ଠାରୁ ବହୁପୁରୁଣା ଭୁବନେଶ୍ୱର, ଜାଣନ୍ତୁ ଇତିହାସ
ଭୁବନେଶ୍ୱର : କଟକ ହେଉଛି ହଜାରେ ବର୍ଷର ସହର । ଆଉ ଭୁବନେଶ୍ୱରର ବୟସ ମାତ୍ର ୭୪ । ଅନେକଙ୍କ ମନରେ ଏହି ଧାରଣା ରହିଛି । ହେଲେ ଭୁବନେଶ୍ୱର କିନ୍ତୁ କଟକ ଠାରୁ ବହୁ ପୁରୁଣା ବୋଲି ଐତିହାସିକମାନେ ମତପୋଷଣ କରନ୍ତି । ଏନେଇ ଅନେକ ଐତିହାସିକ ତଥ୍ୟ ପ୍ରମାଣ ବି ରହିଛି ।
ଏନେଇ ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତିଯେ, କଟକ ଠାରୁ ଭୁବନେଶ୍ୱର ବହୁ ପୁରୁଣା । ବିଭିନ୍ନ ସମୟରେ ତୋଷାଳୀ, କଳିଙ୍ଗନଗରୀ, ଏକାମ୍ର, କୃତ୍ତିବାସ କଟକ ଆଦି ନାମ ବହନ କରିଛି ଭୁବନେଶ୍ୱର । ଐତିହାସିକ ତଥ୍ୟ ଅନୁଯାୟୀ, ପୂର୍ବ ଭାରତର ଅନ୍ୟତମ ପୁରାତନ ନିର୍ମାଣ ଶିଶୁପାଳ ଗଡ଼ ବର୍ତ୍ତମାନର ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଥିଲା । ଐତିହାସିକ ପ୍ରମାଣ ନଥିଲେ ମଧ୍ୟ ଏହାକୁ ଅନେକ ମହାଭାରତ ବର୍ଣ୍ଣିତ ରାଜା ଶିଶୁପାଳଙ୍କର ଗଡ଼ ବୋଲି ବିଶ୍ୱାସ କରନ୍ତି । ମହାଭାରତର ସମୟକୁ ହିସାବକୁ ନେଇ କେତେକ ଐତିହାସିକ ଶିଶୁପାଳଗଡ଼ର ସମୟ ଖ୍ରୀଷ୍ଟପୂର୍ବ ୩୧୩୭ ବୋଲି ଅନୁମାନ କରିଛନ୍ତି । ଏହା ସତ୍ୟ ହେଲେ ଭୁବନେଶ୍ୱର ମହାଭାରତ ସମୟର ତଥା ୫ ହଜାର ବର୍ଷରୁ ଅଧିକ ପୁରୁଣା ସହର । ଭୂତତ୍ୱବିତ ଡକ୍ଟର ବିକେ ରଥଙ୍କ ଅନୁସାରେ ଶିଶୁପାଳଗଡ଼ ଖନନ ବେଳେ ଯେଉଁ ସବୁ ପାତ୍ର, ହାଣ୍ଡି ଓ ନିର୍ମାଣ ସାମଗ୍ରୀର ଭଗ୍ନାଂଶ ମିଳିଛି ସେସବୁ ୧୦ ହଜାର ବର୍ଷରୁ ଅଧିକ ପୁରୁଣା ।
ତେବେ ଆଜିକୁ ୨୨ ଶହ ବର୍ଷ ତଳେ ଚେଦି ରାଜା ଖାରବେଳ ଶିଶୁପାଳଗଡ଼ର ପୁନଃନିର୍ମାଣ କରାଇଥିଲେ । ପଦ୍ମପୁରାଣ, ପ୍ରାଚୀ ମାହାତ୍ମ୍ୟ, ଶିବ ପୁରାଣ, କପିଳ ସଂହିତା ଓ ଏକାମ୍ର ପୁରାଣ ଆଦିରେ ଏ ସହରର ନାମ ଏକାମ୍ର କ୍ଷେତ୍ର ବୋଲି ଉଲ୍ଳେଖ ରହିଛି । ଖାରବେଳଙ୍କ ଠାରୁ ସୂର୍ଯ୍ୟବଂଶୀ ଗଜପତି ଶାସକଙ୍କ ପର୍ଯ୍ୟନ୍ତ ଭୁବନେଶ୍ୱର ସହର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଆସିଛି । ସପ୍ତମ ଶତାବ୍ଦୀରେ ଶୈଳୋଦ୍ଭବ ଶାସନ ସମୟରେ ବର୍ତ୍ତମାନ ଅକ୍ଷତ ଅବସ୍ଥାରେ ଥିବା ଭୁବନେଶ୍ୱରର ପୁରୁଣା ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିର ତିଆରି ହୋଇଥିଲା । ପରେ ଅଷ୍ଟମ ଶତାବ୍ଦୀରେ ସୋମବଂଶୀ ଶାସକମାନେ ଭୁବନେଶ୍ୱରରେ ନିଜର ରାଜଧାନୀ ବସାଇଥିଲେ । ୧୪୩୫ ମସିହା ଜୁନ ୨୯ରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଭୁବନେଶ୍ୱରରେ ନିଜର ଅଭିଷେକ ସମାରୋହ କରିଥିଲେ । ମୋଗଲ ଶାସନ ସମୟରେ କଟକ ଅଧିକ ଗୁରୁତ୍ୱ ପାଇଥିଲା । ଗଜପତି ଶାସକମାନେ ଖୋର୍ଦ୍ଧା ଓ ପରେ ପୁରୀକୁ ରାଜଧାନୀ ଘୁଂଚାଇନେଲେ । ୧୯୪୮ ଅପ୍ରେଲ ୧୩ରେ ପଣ୍ଡିତ ଜବାହାରଲାଲ ନେହେରୁ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ ।
Powered by Froala Editor