ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା,୩ଟା ୩୦ରେ ରଥ ଟଣା

ଭୁବନେଶ୍ୱର: ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଅଛି। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି। ପରେ ଅନ୍ୟ ନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ। ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି।
ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି। ରଥର ଚକ ଫାଟିବା ଓ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା’ ମନ୍ଦିର ପହଞ୍ଚିଥିଲା ରଥ।
କରୋନା କଟକଣା ଯୋଗୁଁ ଭକ୍ତମାନେ ରୁକୁଣା ରଥ ଦେଖିବାର ସୁଯୋଗ ପାଇନଥିଲେ । ରୁକୁଣା ରଥ ହେଉଛି ଅଣଲେଉଟା । ଅର୍ଥାତ ମହାପ୍ରଭୂ ଲିଙ୍ଗରାଜ ଫେରିବା ବେଳେ ରଥର ମୋଡ଼ ପରିବର୍ତନ କରାଯାଏ ନାହିଁ । ବାହୁଡ଼ା ଦିନ ରୁକୁଣା ରଥର ପଛପଟୁ ଟଣାଯାଏ । ଏନେଇ ଅନେକ କିମ୍ବଦନ୍ତୀ ରହିଛି । ଦୁଇ ବର୍ଷ ପରେ ମହାପ୍ରଭୂଙ୍କ ରଥଯାତ୍ରା ହେଉଥିବାରୁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
Powered by Froala Editor