ଜୁନ୍ ଆରମ୍ଭରୁ ଆସିପାରେ ମୌସୁମୀ
ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ। ଏଭଳି ଅନୁମାନ କରିଛି ସ୍କାଏମେଟ୍ । ସ୍କାଏମେଟର ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ରେ ମୌସୁମୀ ବର୍ଷା ଦୀର୍ଘ ମିଆଦି ହାରାହାରିର ୯୮ ପ୍ରତିଶତ (+/-5%) ରହିବ । ଅର୍ଥାତ ଦୀର୍ଘ ମିଆଦୀ ହାରାହାରି ବର୍ଷା ୮୮୦.୬ ମିଲିମିଟର ଧରାଯାଇଥିବାବେଳେ ଚଳିତ ବର୍ଷ ମୌସୁମୀ ୪ ମାସ (ଜୁନ-ସେପ୍ଟେମ୍ବର)ରେ ତାହାର ୯୮ ପ୍ରତିଶତ ରହିବ ଓ ତାହା ୫ ପ୍ରତିଶତ କମ ବା ଅଧିକ ହୋଇପାରେ ।
ଯଦି ସ୍କାଏମେଟ୍ର ଆକଳନ ଠିକ୍ ହୁଏ, ତା’ହେଲେ ଦେଶରେ ଭଲ ଫସଲ ହେବ। ଜୁନ୍ ମାସ ଆରମ୍ଭରୁ ମୌସୁମୀର ପ୍ରଭାବ ଦେଖାଯିବ। ଧୀରେଧୀରେ ମୌସୁମୀ ଅଧିକ ସକ୍ରିୟ ହେବ ଓ ଭଲ ବର୍ଷା କରାଇବାରେ ସହାୟକ ହେବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୧ ମିଲିମିଟିର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଆକଳନ ୫% ବେଶୀ କିମ୍ବା କମ୍ ହୋଇପାରେ। କିନ୍ତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ। ଏହାର ପ୍ରଭାବରେ ସମଗ୍ର ଦେଶରେ ୯୮% ବର୍ଷା ହେବ। ମୌସୁମୀର ଦ୍ୱିତୀୟ ଭାଗ ତୁଳନାରେ ପ୍ରଥମ ଭାଗ ଅଧିକ ଭଲ ରହିବ।
ଗତ ଫେବ୍ରୁଆରି ମାସରେ ସ୍କାଏମେଟ୍ ପକ୍ଷରୁ ପ୍ରକାଶିତ ମୌସୁମୀର ଆଗୁଆ ଆକଳନରେ ବି ଏବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି କୁହାଯାଇଥିଲା । ଏହି ରିପୋର୍ଟରେ ବର୍ଷା ୯୬ରୁ ୧୦୪ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ଏଣୁ ଏପ୍ରିଲ ମାସରେ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ସ୍କାଏମେଟ ନିଜର ଫେବ୍ରୁଆରି ଆକଳନକୁ ପ୍ରାୟତଃ ଅପରିବର୍ତ୍ତିତ ରଖିଛି ।
Powered by Froala Editor