ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ଖାରଜ କଲେ ହାଇକୋର୍ଟ
ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ମାନ୍ୟବର ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଛୋଟ ପିଲାଙ୍କୁ ଦୂର ସ୍କୁଲ ପଠାଇବା ବେଆଇନ ବୋଲି କୋର୍ଟ କହିଛନ୍ତି ।
ସୂଚନା ଅନୁସାରେ,୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ଏ ନେଇ ୨୦୨୦, ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରି କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ନିକଟସ୍ଥ ସ୍କୁଲରେ ମିଶ୍ରଣ ନେଇ ବିଜ୍ଞପ୍ତି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ପରେ ଏହି ପ୍ରସଂଗ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା।
ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଚାଲିବା ଦୂରତା ୧କି.ମି. ଭିତରେ ସ୍କୁଲ ରହିବା କଥା। କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବହୁ ସ୍କୁଲର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଥିଲା। ସ୍କୁଲ ମିଶ୍ରଣ ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆ ଯିବା କଥା। କିନ୍ତୁ ଏପରି କରାଯାଉ ନାହିଁ। ସରକାରୀ ସ୍କୁଲ ବନ୍ଦ ସଂପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଏହି ସବୁ ଆବେଦନରେ ଦର୍ଶାଯାଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ସ୍କୁଲ ମିଶ୍ରଣ ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ।
ମାନ୍ୟବର କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ୍ରେ କମ୍ ସଂଖ୍ୟକ ଛାତ୍ର ପଢ଼ିବା ନେଇ ରାଜ୍ୟ ସରକାରଙ୍କ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଦାୟୀ । ସ୍କୁଲଗୁଡ଼ିକୁ ଯଥେଷ୍ଟ ଭିତ୍ତିଭୂମି ଯାେଗାଇ ନଦେଇ ରାଜ୍ୟ ସରକାରଙ୍କ ପିଲା କମ୍ ଦୃଷ୍ଟିରୁ ଅନ୍ୟ ସ୍କୁଲ ସହ ମିଶାଇ ଦେବା ପ୍ରସ୍ତାବ ଏକ ବେଆଇନ୍ ପ୍ରସ୍ତାବ ବୋଲି କହିଛନ୍ତି ମାନ୍ୟବର କୋର୍ଟ ।
ତେବେ ଏହାରି ମଧ୍ୟରେ କିଛି ସ୍କୁଲର ମିଶ୍ରଣ ହୋଇସାରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ମିଶ୍ରଣ ହେବାର ବାକି ଅଛି । କିନ୍ତୁ ମାନ୍ୟବର କୋର୍ଟ ଅଭିଭାବକଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।
Powered by Froala Editor