ହନୁମାନ ପତାକାକୁ ନେଇ ଗୋଷ୍ଠୀ ସଂଘର୍ଷ, ଯୋଡାରେ ଲାଗିଲା ୧୪୪ ଧାରା
ଯୋଡ଼ାରେ ହନୁମାନ ପତାକା ନେବା ବେଳେ ଦୁଇ ଗୋଷ୍ଠୀ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି। ଏଥିସହ ଯୋଡା ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାମନବମୀ ଥିବାବେଳେ, ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ଗୋଟିଏ ଗୋଷ୍ଠୀ। କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ । ଆଜି ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସ୍ କହିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ। ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତେଜନା ପ୍ରଶମିତ ହୋଇନଥିଲା। ପ୍ରବଳ ଟେକା ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚମ୍ପୁଆ ସବ କଲେକ୍ଟର, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ସୁରକ୍ଷା ସୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି।
Powered by Froala Editor