ଆଜି ଛେନାପୋଡ଼ ଦିବସ
ଭୁବନେଶ୍ୱର : ଆଜି ହେଉଛି ଛେନାପୋଡ଼ ଦିବସ । ଚଳିତ ବର୍ଷ ଠାରୁ ଅପ୍ରେଲ ୧୧କୁ ନୟାଗଡ଼ର କିଛି ଉଦୀୟମାନ ଯୁବକଙ୍କ ଦ୍ୱାରା ଛେନାପୋଡ଼ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା ଛେନାପୋଡ଼ର ଉତ୍ପତି ସମ୍ପର୍କରେ ଦେଇଥିବା ତଥ୍ୟର ଅବତାରଣା କରାଯାଇପାରେ ।
ଶ୍ରୀ ପଣ୍ଡା ସମ୍ବାଦରେ ଏନେଇ ଏକ ଆଲେଖ୍ୟ ଲେଖିଛନ୍ତି । ନୟାଗଡ଼ର ପ୍ରତିଷ୍ଠିତ ମିଷ୍ଟାନ୍ନ ବ୍ୟବସାୟୀ ସୁଦର୍ଶନ ସାହୁ ୧୯୩୦ ମସିହା ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ନୟାଗଡ଼ର ଦଶପଲ୍ଲା ବଜାରରେ ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କରିଥିଲେ । ଯାହାପରେ ନୟାଗଡ଼କୁ ସ୍ଥାନାନ୍ତରିତ ହୋଇଥିଲା । ନିଜ ଅଜାଣତରେ ସେ ଆକସ୍ମିକ ଭାବେ ଛେନାପୋଡ଼ର ଉଦ୍ଭାବନ କରିଥିଲେ । ଦିନେ ମିଠା ପାଇଁ ବ୍ୟବହୃତ କିଛି ବଳକା ଛେନା ନଷ୍ଟ ନହେବା ପାଇଁ ସେ ଗୁଡ଼ ଗୋଳାଇ ଚୁଲି ଉପରେ ବସାଇ ଦେଇଥିଲେ । ମୂଷା, ଅସରପା ଆଦିଙ୍କ ହାବୁଡ଼ରୁ ରକ୍ଷା କରିବା ପାଇଁ ସେ ଛେନାକୁ ଶାଳପତ୍ରରେ ଗୁଡ଼ାଇ ପାତ୍ର ଭିତରେ ରଖି ଢାଙ୍କୁଣୀ ଘୋଡ଼ାଇ ଦେଇଥିଲେ । ଉପରେ ଅଧାଜଳା କାଠଖଣ୍ଡେ ଥୋଇ ଦେଇଥିଲେ । ପରଦିନ ସକାଳେ ଆସି ଦୋକାନ ଖୋଲିବା ବେଳକୁ ସୁଦର୍ଶନ ଦେଖିଲେ, ତଳୁ ଚୁଲି ପାଉଁଶ ନିଅାଁ ଓ ଉପରୁ ତତଲା ଢାଙ୍କୁଣୀର ଚାପରେ ଗୁଡ଼ଗୋଳା ଛେନାତକ ଦରପୋଡ଼ା ହୋଇଯାଇଛି । ଛେନାତକ ନଷ୍ଟ ହେଲା ଭାବି ସେ ଫିଙ୍ଗିଦେବା ଆଗରୁ ଖଣ୍ଡେ ଆଣି ପାଟିରେ ଦେଇଦେଖନ୍ତି ତ ବେଶ ସୁଆଦିଆ ଲାଗୁଛି ।
ଛେନାରୁ ଆକସ୍ମିକ ଭାବେ ପ୍ରସ୍ତୁତ ଏହି ମିଠା ପ୍ରତି ସୁଦର୍ଶନଙ୍କ ଆଗ୍ରହ ବଢ଼ିଲା । ତା ପରଦିନ ଉପରେ ଓ ତଳେ ରଡ଼ନିଆଁ ଦେଇ ସେ ପୁଣି ଘରକୁ ଚାଲିଗଲେ । ଏଥର ଆସିବା ବେଳକୁ ଛେନାପୋଡ଼ ସୁନ୍ଦର ଭାବେ ପ୍ରସ୍ତୁତ ହୋଇ ରହିଥିଲା । ବାରମ୍ବାର ପରୀକ୍ଷା ନୀରିକ୍ଷା ପରେ ଶେଷରେ ଛେନାପୋଡ଼ ଗ୍ରାହକଙ୍କ ମନ ଜିଣି ନେଇଥିଲା ।
Powered by Froala Editor