ଆଜି ପୁରୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର: ସୋମବାର ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ବାଲିଗୁଆଳି ନିକଟରେ ୫ଶହ କୋଟି ଟଙ୍କା ବିନିମୟରେ ନିର୍ମିତ ମେଡିକାଲ କଲେଜରେ ୪୫୦ ଛାତ୍ରଛାତ୍ରୀଙ୍କ ରହିବା ନିମିତ୍ତ ହଷ୍ଟେଲ ସହ ଲ୍ୟାବ, କ୍ଲାସରୁମ, ପ୍ରଶାସନିକ ଭବନ ପ୍ରସ୍ତୁତ ରହିଛି ।
ସୋମବାର ଠାରୁ ୧୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବେଶ ଉତ୍ସାହିତ ଥିବା ବେଳେ ଗସ୍ତ କାର୍ୟ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି ।
Powered by Froala Editor