ଆଉ ଜଣେ ମାଂଝୀ : ଲୋକଙ୍କ ପାଇଁ ପୋଖରୀ ଖୋଳିଲେ କୃଷ୍ଣ ନନ୍ଦ

ପାହାଡ ସେପାରିକୁ ଯିବା ପାଇଁ ରାସ୍ତା ନଥିଲା । ପାହାଡ ଚଢି ଯିବାକୁ ହେଲେ କାଠିକର ପାଠ । ଏଭଳି ଦୁର୍ବିସହ ଜୀବନ ବିତାଉଥିଲେ ଦଶରଥ ମାଂଝିଙ୍କ ଗାଁଲୋକ । ଏପରିକି ପାହାଡ ଚଢୁ ଚଢୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଲା । ତାପରଠୁ ଦଶରଥ ପାହାଡ ଖୋଳି ରାସ୍ତା ତିଆରି କରିଥିଲେ । ଯାହାକି ଆଜି ସମସ୍ତଙ୍କ ପାଇଁ ଉଦାହରଣ । ସେହି ରାସ୍ତା ଏବେବି ଦଶରଥ ମାଂଝିଙ୍କ ରାସ୍ତା ନାମରେ ନାମକରଣ ହୋଇଛି । ସେହିପରି ଆଉ ଜଣେ ବ୍ୟକ୍ତି ମଧ୍ୟ ଲୋକଙ୍କ ପାଇଁ କାମ କରି ଉଦାହରଣ ପାଲଟିଛନ୍ତି । ଖରାଦିନେ ପାଣି ସମସ୍ୟା ଥିବାରୁ ଲୋକଙ୍କ ପାଇଁ ପୋଖରୀ ଖୋଳି ଦେଇଛନ୍ତି ।
ସେ ହେଉଛନ୍ତି ବୁନ୍ଦେଲଖଣ୍ଡର ମାଂଝି । ତାଙ୍କ ନାଁ କୃଷ୍ଣ ନନ୍ଦ ମହାରାଜ। କୃଷ୍ଣ ନନ୍ଦ ୩ ବର୍ଷ ଧରି ଏକ ଶୁଖିଲା ପ୍ରାଚୀନ ପୋଖରୀ ଖନନ କରିଛନ୍ତି। ଫଳରେ କେଇ ଖଣ୍ଡ ଗାଁ ଲୋକଙ୍କର ପାନୀୟ ଜଳ ସମସ୍ୟା ଦୂର ହୋଇପାରିଛି। ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି।
କୃଷ୍ଣ ନନ୍ଦ ମହାରାଜ ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାର ସୁମେରପୁରରେ ରୁହନ୍ତି । ଗାଁର ଏକ ବଡ ପୋଖରୀ ରହିଛି। କିନ୍ତୁ ପୋଖରୀରେ ପାଣି ଶୁଖି ପୋତି ହୋଇଯିବାରୁ ଲୋକେ ଏହାକୁ ଖେଳ ପଡିଆ ଭାବେ ବ୍ୟବହାର କରୁଥିଲେ। ପୋଖରୀ ଉପରେ କାହାର ଧ୍ୟାନ ପଡୁନଥିଲା। ଲୋକ ପୋଖରୀ ଶୁଖିଯିବାରୁ ଦୂର ରାସ୍ତା ଅତିକ୍ରମ କରି ପାଣି ଆଣିବାକୁ ଯାଉଥିଲେ।
ଶେଷରେ କୃଷ୍ଣ ନନ୍ଦ ମହାରାଜ ୩ ବର୍ଷ ମଧ୍ୟରେ ପୋଖରୀରୁ ଖୋଳି ସେଥିରେ ପାଣିର ବ୍ୟବସ୍ଥା କଲେ। ୨୦୧୫ରେ ସେ ଏକା ଖୋଳିଚାଲିଥିଲେ ପୋଖରୀ। ପୋଖରୀ ଖୋଳିବା ପାଇଁ ତାଙ୍କୁ ୩ ହଜାର ଟ୍ରଲି ମାଟି କାଢିବାକୁ ପଡିଥିଲା। କୃଷ୍ଣ ନନ୍ଦ ମହାରାଜଙ୍କର ଏହି କାମ ପାଇଁ ଲୋକେ ତାଙ୍କୁ ବୁନ୍ଦେଲଖଣ୍ଡର ମାଂଝି ବୋଲି କହୁଛନ୍ତି। ଏହି ପୋଖରୀ ଦ୍ବାରା ଆଖ ପାଖ ଅଞ୍ଚଳ ଲୋକଙ୍କ ଜଳ ସମସ୍ୟା ଦୂର ହୋଇଛି।
Powered by Froala Editor