ତିଆରି ହେବ ଆର ଆର ଆର ର ଦ୍ୱିତୀୟ ପାର୍ଟ

ଖୁସି ଖବର! ଆସିବ ଆର୍ଆର୍ଆର୍ର ସିକ୍ୱେଲ୍। ଅଭିନେତା ରାମଚରଣ, ଜୁନିୟର ଏନ୍ଟିଆର୍, ଆଲିଆ ଭଟ୍ଟ ଓ ଅଜୟ ଦେବଗନ୍ଙ୍କ ଅଭିନୀତ ଫିଲ୍ମ ଆର୍ଆର୍ଆର୍ ଏବେ ବକ୍ସ ଅଫିସ୍ରେ ଧୁମ୍ ମଚାଇଛି। ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି। କ୍ରିଟିକ୍ସ ମଧ୍ୟ ଏହି ଫିଲ୍ମକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଆର୍ଆର୍ଆର୍ ସୁପର ହିଟ୍ ହେବା ପରେ ଏହାର ସିକ୍ୱେଲକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଫ୍ୟାନ୍ ବି ଚାହୁଁଛନ୍ତି ଯେ ଆରଆରଆର ୨ ତିଆରି ହେଉ। ଫ୍ୟାନ୍ଙ୍କ ଏହି ଇଚ୍ଛାକୁ ଦେଖି ଫିଲ୍ମ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ମଧ୍ୟ ଏଥିପାଇଁ ଗ୍ରୀନ୍ ସିଗ୍ନାଲ ଦେଇଥିବା ଜଣାଯାଇଛି।
ଏସ୍ଏସ୍ ରାଜାମୌଲି କହିଛନ୍ତି, ଆମେ ୨୦୨୦ରେ ଆର୍ଆର୍ଆର୍ ତିଆରି କରିଥିଲୁ ଓ ୨୦୨୨ରେ ଏହା ରିଲିଜ୍ ହୋଇଛି। ଆରଆରଆର ସୁପରହିଟ୍ ହେବା ପରେ ମୁଁ ବହୁତ ଖୁସି। ଫିଲ୍ମର ଧୁମ୍ ଟିକେ ଥଣ୍ଡା ହୋଇଯାଉ। ମୋ ପାଇଁ ଏହାର ସିକ୍ୱେଲ କରିବା ବହୁତ ଖୁସିର କଥା ହେବ। ଏହା କେବଳ ବକ୍ସ ଅଫିସରେ ହିଟ୍ ହୋଇଛି ବୋଲି ନୁହେଁ, ବରଂ ମୋତେ ମୋ ଦୁଇ ଭାଇ ରାମ ଚରଣ ଓ ଜୁନିୟର ଏନ୍ଟିଆର୍ଙ୍କ ସହ ଏକାଠି ସମୟ ବିତାଇବାକୁ ବି ସୁଯୋଗ ମିଳିବ। ଏହା ମୋ ପାଇଁ ଅଧିକ ଏକ୍ସାଇଟିଂ ହେବ। କିନ୍ତୁ କିଛି ଦିନ ଯାଉ। ଦେଖାଯାଉ କଣ ହେଉଛି।
ପ୍ରକାଶ ଯେ ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ଆରଆରଆର୍ ନିକଟରେ ରିଲିଜ୍ ହୋଇଛି। ଇତି ମଧ୍ୟରେ ଏହି ଫିଲ୍ମ ୧୦୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଏହି ଫିଲ୍ମ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ବ୍ୟତୀତ ହିନ୍ଦୀ ଭାଷାରେ ବି ରିଲିଜ୍ ହୋଇଛି। ଫିଲ୍ମର ରୋଜଗାର ଏବେ ବି ଜାରି ରହିଛି।
Powered by Froala Editor