ଗ୍ରାମବାସୀ ଓ ସରକାରୀ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଚୋର ନେଇଗଲେ ୬୦ ଫୁଟ୍ର ପୋଲ
ବିହାରର ରୋହତାଶ ଜିଲ୍ଲାର ସାସାରାମରେ ଲୁହା ପୋଲ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବଡ଼ ଚୋରି ହୋଇଗଲା, କିନ୍ତୁ ବିଭାଗକୁ ତିଳେମାତ୍ର ଖବର ପହଞ୍ଚିଲା ନାହିଁ । ତେବେ ଚୋରିର ତିନି ଦିନ ପରେ ବିଭାଗ ଅଜଣା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଛି ।
୧୯୭୨ରେ ଆରା କେନାଲ ଉପରେ ଏହି ୬୦ ଫୁଟ ଲମ୍ବା ଲୁହା ପୋଲ ତିଆରି ହୋଇଥିଲା। ତେବେ ଏହା ଜର୍ଜରିତ ଅବସ୍ଥାରେ ପଡି ରହିଥିଲା କିନ୍ତୁ ଏହାପରେ ଲୋକେ ଯିବା ଆସିବା କରୁଥିଲେ। ହେଲେ ଚୋରମାନଙ୍କୁ ଲୁହା ପୋଲଟି ପସନ୍ଦ ଆସିନଥିଲା। ଏହାପରେ ଘଟଣାସ୍ଥଳରେ ସେମାନେ ପହଞ୍ଚିଥିଲେ। ଆଉ ଲୋକଙ୍କୁ ଜଳ ସମ୍ପଦ ବିଭାଗର ଅଫିସର ବୋଲି ପରିଚୟ ଦେଇଥିଲେ। ଏଥିସହ ନିଜ ସାଙ୍ଗରେ ବୁଲଡୋଜନର ଓ ଲୁହା କାଟିବା କଟର୍ ବି ନେଇଥିଲେ।
ଲୋକଙ୍କ ଉପସ୍ଥିତିରେ ଚୋରମାନେ ତିନି ଦିନ ଭିତରେ ଏହି ୬୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚତାର ଲୁହା ପୋଲକୁ କାଟି ୫୦୦ ଟନ୍ର ଲୁହା ନେଇଯାଇଥିଲେ। ଏ ଘଟଣା ନେଇ ଅସଲି ଅଫିସରଙ୍କ ପାଖରେ କୌଣସି ଖୋଜଖବର ନଥିଲା। ଏପରିକି, ଏହି ପୋଲକୁ କାଟିବା ପାଇଁ ଚୋରମାନେ ସ୍ଥାନୀୟ ଜଳସେଚନ ବିଭାଗର କର୍ମଚାରୀଙ୍କ ସହାୟତା ମଧ୍ୟ ନେଇଥିଲେ। ଘଟଣା ଯେବେ ଜଣାପଡିଥିଲା ସେତେବେଳେ ଅସଲି ଅଫିସରଙ୍କ ହୋସ୍ ଉଡି ଯାଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଳସମ୍ପଦ ବିଭାଗର ଜେଇ କମଲ ସାମସି କହିଛନ୍ତି।
ଗ୍ରାମବାସୀଙ୍କ କହିବା ହେଉଛି ପୂର୍ବରୁ ଏଠାରେ କୌଣସି ପୋଲ ନଥିଲା । ଲୋକ ଡଙ୍ଗା ମାଧ୍ୟମରେ ନଈ ପାର ହେଉଥିଲେ । କିନ୍ତୁ ୧୯୬୬ ମସିହାରେ ଗ୍ରାମବାସୀ ନଈ ପାର ହେବାବେଳେ ଡଙ୍ଗାଟି ବୁଡ଼ି ଯାଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ୧୯୭୨ରୁ ୧୯୭୫ ମଧ୍ୟରେ ପୋଲ ନିର୍ମାଣ ହୋଇଥିଲା । କିନ୍ତୁ ଏହା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହେବାରୁ ଅନ୍ୟ ଏକ ପୋଲ ନିର୍ମାଣ କରାଗଲା ।ଏହି ପୋଲ ବ୍ୟବହାର ହେଉନଥିବାରୁ ଲୋକ ଚୋରଙ୍କ ଚାଲାକି ବୁଝି ପାରିଲେନି ।
Powered by Froala Editor