ନବଦମ୍ପତିଙ୍କୁ ମହଙ୍ଗା ଗିଫ୍ଟ ଭାବେ ମିଳିଲା ପେଟ୍ରୋଲ-ଡିଜେଲ
ତେଲ ରେଟ୍ ହୁ ହୁ ହୋଇ ବଢିଚାଲିଛି । ସାଧାରଣ ଲୋକ ଏଥିପାଇଁ ଅସ୍ତବ୍ୟସ୍ତ ହେଲେ ବି କାର୍ଯ୍ୟ ଯୋଗୁଁ ବାଧ୍ୟ ହୋଇ ତେଲ କିଣୁଛନ୍ତି । ଏହାକୁ ନେଇ କେତେକ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ଏବେ ବିବାହ ମଣ୍ଡପରେ ଦେଖିବାକୁ ମିଳିଛି ତେଲର ପ୍ରଭାବ । ଲୋକେ ନବଦମ୍ପତିଙ୍କୁ ମହଙ୍ଗା ଗିଫ୍ଟ ଭାବେ ପେଟ୍ରୋଲ ଏବଂ ଡିଜେଲ ଦେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତାମିଲନାଡ଼ୁର ଚେୟୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ପେଟ୍ରୋଲ ଉପହାର ମିଳିଛି । ବିବାହ କରୁଥିବା ବରକନ୍ୟା ହେଉଛନ୍ତି ଗ୍ରେସ କୁମାର ଏବଂ କୀର୍ତ୍ତନା । ଉଭୟଙ୍କ ବନ୍ଧୁ ୧ ଲିଟର ପେଟ୍ରୋଲ ଏବଂ ୧ ଲିଟର ଡିଜେଲ ଉପହାର ଦେଇଛନ୍ତି । ସବୁଠୁ ମହଙ୍ଗା ଉପହାର ଦେବାକୁ ଚିନ୍ତା କରିବାରୁ ପ୍ରଥମେ ପେଟ୍ରୋଲ ହିଁ ମନକୁ ଆସିଥିଲା । ତେଣୁ ସେମାନେ ଏଭଳି ଉପହାର ଦେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ନବବିବାହିତଙ୍କ ବନ୍ଧୁ । ଉଭୟ ନବ ବିବାହିତ ଦମ୍ପତ୍ତି ନିଜ ବନ୍ଧୁମାନଙ୍କଠାରୁ ଏହି ଉପହାର ଗ୍ରହଣ କରି ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଯେ, ମାର୍ଚ୍ଚ ୨୨ ପରେ ଦେଶରେ କ୍ରମଶଃ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବାରେ ଲାଗୁଛି । ତାମିଲନାଡ଼ୁରେ ମଧ୍ୟ ଦର ବୃଦ୍ଧିର ଅନେକ ପ୍ରଭାବ ପଡ଼ିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦.୮୫ ଥିବାବେଳେ ଡିଜେଲ ୧୦୦.୯୪ ରହିଛି ।
Powered by Froala Editor