ଲକ୍ଡାଉନ ସଂକ୍ରମଣ ରୋକିବା ପାଇଁ ହେଉଛି, ତେଣୁ ଗହଳି କରନ୍ତୁ ନାହିଁ : ଏସ୍ଆରସି

ଚଳିତ ମାସ ୫ ତାରିଖ ଠାରୁ ସମଗ୍ର ଓଡ଼ିଶା ଲକ୍ଡାଉନ୍ ରହିବ । ଲକ୍ଡାଉନ୍ ବ୍ୟତୀତ ମେ’ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍ଡାଉନ୍ ରହିବ । ଏ ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି। ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପନିପରିବା, ଆମିଷ ବଜାର, ଖାଦ୍ୟ ସାମଗ୍ରୀ, ମେଡିସିନ ଏବଂ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ଖୋଲା ରହିବ। ତେବେ ଏହି ସମସ୍ତ ଦୋକାନଗୁଡ଼ିକ କେବଳ ସଟଡାଉନ ତଥା ଶନିବାର ଏବଂ ରବିବାର ଦିନ ବନ୍ଦ ରହିବ। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ଅତ୍ୟଧିକ ଭିଡ଼ ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
ବୁଧବାର ଠାରୁ ଲକ୍ଡାଉନ ହେବାକୁ ଥିବାରୁ କାଳେ ଜିନିଷପତ୍ର ନମିଳିବ ସେହି ଆଶଙ୍କାରେ ଆଜି ସକାଳ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ପରିବା ଦୋକାନ ଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲାଇନ ଲଗାଇ ସଉଦା ବୋହି ନେଇଥିଲେ । ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଲୋକେ ପ୍ରସ୍ତୁତ ହୋଇ ଆସିଥିଲେ । କରୋନା କାଳରେ ଏହି ଭିଡ ଏକ ବିପଦର ଆଶଙ୍କାକୁ ଇସାରା କରୁଥିଲା । ତେବେ ଏବି ଭିଡ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସଆରସି ଗହଳି ନକରିବାକୁ ଅନୁରୋଧ କରିଛନ୍ତି ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଲକଡାଉନ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବା। ଲକଡାଉନ ପାଇଁ ଆତଙ୍କିତ ଭାବେ ଦୋକାନ ବଜାର ଆଗରେ ଭିଡ଼ ଜମାନ୍ତୁ ନାହିଁ।
Powered by Froala Editor