ଗଞ୍ଜେଇ ନିଶା ଛଡ଼ାଇଦେଲା ଲଙ୍କାଗୁଣ୍ଡ
ଗଞ୍ଜେଇ ନିଶା ଛଡାଇବା ପାଇଁ ମା’ ପୁଅର ଆଖିରେ ଦଳି ଦେଲା ଲଙ୍କା ଗୁଣ୍ଡ। ପୁଅ ଯେତେ ଚିତ୍କାର କଲେ ବି କିଛି ଶୁଣିଲାନି। ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲାର କୋଡାଡ୍ ସହରରେ ସୋମବାର ଘଟିଥିବା ଘଟଣାର ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୬ ବର୍ଷୀୟ ନାବାଳକ ପୁଅ ଅନେକ ଦିନ ଧରି ଘରକୁ ନ ଆସିବା ଏବଂ ଗଞ୍ଜେଇ ନିଶା ଛଡ଼ାଇବା ପାଇଁ ମହିଳା ଜଣଙ୍କ ପୁଅକୁ ଏଭଳି ଦଣ୍ଡ ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ନାବାଳକ ଗତ କିଛି ଦିନ ହେବ ଲଗାତାର ଭାବେ ନିଶା ଦ୍ରବ୍ୟ ସେବନ କରୁଥିଲା। ଘରେ ପାଠ ପଢ଼ିବାକୁ ଯିବି କହି ଗଞ୍ଜେଇ ସେବନ କରୁଥିଲା । ଏହା ଦେଖି ଚିନ୍ତିତ ହୋଇପଡିଥିଲା ମା’। ପୁଅର ନିଶା କେମିତି ଛଡାଇବ, ସେ ନେଇ ଚିନ୍ତା କରୁଥିଲା। ନିଶା ପାଇଁ ବିଭିନ୍ନ ବାହାନାରେ ନିଜ ମା’କୁ ଟଙ୍କା ମାଗୁଥିଲା ଓ ଟଙ୍କା ପାଇଁ ମା’ ସହ ଝଗଡା ମଧ୍ୟ କରୁଥିଲା। ବାପା ମା’ ନିଜ ନାବାଳକ ପୁଅର ଏହି ଅବସ୍ଥା ଦେଖି ବିବ୍ରତ ହୋଇ ପଡିଥିଲେ। ତେବେ ସୋମବାର ସପ୍ତାହ ପରେ ପୁଅ ଘରକୁ ଫେରି ପୁଣି ଗଞ୍ଜେଇ ଖାଇବା ପାଇଁ ମା’କୁ ଟଙ୍କା ମାଗିଥିଲା। ଏଥିରେ ରାଗିଯାଇ ମା’ ପୁଅକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିବା ସହ ତା’ ଆଖିରେ ଲଙ୍କା ଗୁଣ୍ଡ ଦଳି ଦେଇଥିବା ନେଇ ପୁଲିସ ସୂଚନା ଦେଇଛି।
ଭିଡିଓରେ ମହିଳା ଜଣଙ୍କ ପୁଅ ମୁହଁରେ ଲଙ୍କା ଗୁଣ୍ଡ ବୋଳୁଥିବା ବେଳେ ଅନ୍ୟ ଜଣେ ମହିଳା ପୀଡ଼ିତଙ୍କ ହାତକୁ ଧରି ରଖିଥିବା ଦେଖିବାକୁ ମିଳୁଛି। ତା' ପରେ ନାବାଳକ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ମହିଳା ଜଣଙ୍କ ଶୁଣି ନ ଥିଲେ। ଶେଷରେ ନିଶା ଛାଡ଼ିବା ପ୍ରତିଶ୍ରୁତି ଦେବା ପରେ ନାବାଳକଙ୍କୁ ମୁକ୍ତ କରାଯାଇଥିଲା।
Powered by Froala Editor