ଅବିବାହିତ ଝିଅ ବାହାଘର ଖର୍ଚ୍ଚ ମାଗିଲେ ବାପା-ମା’ ଦେବାକୁ ବାଧ୍ୟ : ହାଇକୋର୍ଟ
ବାପା ମା’ମାନେ ଝିଅର ବାହାଘର କରିବାକୁ ଧନସମ୍ପତ୍ତି ସଞ୍ଚୟ କରି ରଖନ୍ତି। ତେବେ ଅନେକ ସମୟରେ ଝିଅମାନେ ଅବିବାହିତ ଅବସ୍ଥାରେ ବାପା ମା’ଙ୍କ ଠାରୁ ସେମାନଙ୍କ ବାହାଘରରେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ମାଗନ୍ତି। ହେଲେ ବାପା ମା’ମାନେ ଏହାକୁ ଅଣଦେଖା କରି ଦିଅନ୍ତି। ହେଲେ ଏବେ ଛତିଶଗଡ଼ ହାଇକୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦେଇଛନ୍ତି। ଜଣେ ଅବିବାହିତ ଝିଅ ନିଜ ବାପା ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ବାବଦ ଅର୍ଥ ମାଗି ପାରିବେ ବୋଲି କୋର୍ଟ କହିଛନ୍ତି।ହାଇକୋର୍ଟର ଏକ ଖଣ୍ଡପୀଠ ଛତିଶଗଡ଼ ଦୁର୍ଗ ଜିଲ୍ଲାର ମୂଳ ବାସିନ୍ଦା ଥିବା ୩୫ ବର୍ଷୀୟା ମହିଳା ରାଜେଶ୍ୱରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।
ମାମଲାର ପ୍ରକାଶ, ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଜଣେ କର୍ମଚାରୀ ଭାନୁ ରାମଙ୍କ ଝିଅ ରାଜେଶ୍ୱରୀ ଦୁର୍ଗ ପରିବାର ଅଦାଲତରେ ଏକ ଆବେଦନ କରିଥିଲେ ଏବଂ ବିବାହ ଖର୍ଚ୍ଚ ବାବଦରେ ତାଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କାର ରକ୍ଷଣାବେକ୍ଷଣ ଦେବାକୁ ଦାବି କରିଥିଲେ। ରାଜେଶ୍ୱରୀ ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କ ପିତା ଭାନୁ ରାମ ଅବସର ନେବାକୁ ଯାଉଛନ୍ତି ଏବଂ ଅବସରକାଳୀନ ପ୍ରାପ୍ୟ ଭାବରେ ୫୫ ଲକ୍ଷ ଟଙ୍କା ପାଇବାର ସମ୍ଭାବନା ରହିଛି। ତେଣୁ ତାଙ୍କ ପିତାଙ୍କ ନିଯୁକ୍ତିଦାତା ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ତାଙ୍କ ସପକ୍ଷରେ ୨୦ ଲକ୍ଷ ଟଙ୍କା ଅବସର କାଳୀନ ପ୍ରାପ୍ୟର ଏକ ଅଂଶ ରୂପେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ତେବେ, ପାରିବାରିକ ଅଦାଲତ ୭ ଜାନୁଆରି ୨୦୧୬ରେ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ଏହି ଆଇନରେ କୌଣସି ବ୍ୟବସ୍ଥା ନାହିଁ ଯେ ଜଣେ ଝିଅ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ। ପରବର୍ତ୍ତୀ ସମୟରେ ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ରାଜେଶ୍ୱରୀ ହାଇକୋର୍ଟରେ ଆବେଦନ କରିଥିଲେ।
ଆବେଦନକାରୀଙ୍କ ଓକିଲ ଏ କେ ତିୱାରୀ କହିଛନ୍ତି ଯେ ମାର୍ଚ୍ଚ ୨୧ରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌତମ ଭଦୁରୀ ଏବଂ ଜଷ୍ଟିସ ସଞ୍ଜୟ ଏସ ଅଗ୍ରୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଅନୁମତି ଦେଇଥିଲେ। ଶୁଣାଣି ପରେ ଏହି ମାମଲାରେ ରାୟ ପ୍ରଦାନ କରି ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଆଇନ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ପିତାମାତାଙ୍କ ଠାରୁ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ।
Powered by Froala Editor