ଋଷ-ୟୁକ୍ରେନ ଯୁଦ୍ଧ, ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ହେବ ପ୍ରତ୍ୟକ୍ଷ ଆଲୋଚନା
ମସ୍କୋ: ଋଷିଆ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧ ୩୪ ଦିନ ପରେ ନରମିଛି ଋଷ । ରାଜଧାନୀ କ୍ୱିଭ ସମେତ ୟୁକ୍ରେନର ଉତ୍ତରାଞ୍ଚରେ ଋଷ ସାମରିକ କାର୍ଯ୍ୟକଳାପ ସୀମିତ କରିବ । ପ୍ରାୟ ଦୁଇ ସପ୍ତାହ ପରେ ତୁର୍କୀର ଇସ୍ତାନବୁଲସ୍ଥିତ ଡୋଲମବସେ ପ୍ୟାଲେସରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ପରେ ଋଷ ଉପ ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫୋମିନ ଏହି ଘୋଷଣା କରିଛନ୍ତି ।୩ ଘଣ୍ଟାରୁ ଅଧିକ ସମୟ ଧରି ଏହି ଆଲୋଚନା ହୋଇଥିଲା ।
ଏଥିରେ ୟୁକ୍ରେନ ନିରପେକ୍ଷ ରହିବା ସହ କୌଣସି ପ୍ରକାର ଆଣବିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛି । ୟୁକ୍ରେନ ନାଟୋ କିମ୍ବା କୌଣସି ସାମରିକ କିମ୍ବା ରାଜନୈତିକ ମେଣ୍ଟରେ ସାମିଲ ହେବ ନାହିଁ । ଏଥିସହ କୌଣସି ବିଦେଶୀ ରାଷ୍ଟ୍ରର ସାମରିକ ଘାଟି ନିଜ ଦେଶରେ ପ୍ରତିଷ୍ଠା କରିବ ନାହିଁ କିମ୍ବା ଅନ୍ୟ ଦେଶର ସୈନ୍ୟଙ୍କୁ ନିଜ ଦେଶରେ ରଖିବ ନାହିଁ । କିନ୍ତୁ ଭବିଷ୍ୟତରେ ଆକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଚାହିଁଛି ।
ଅନ୍ୟପଟେ ଆଲୋଚନା ଫଳପ୍ରଦ ହୋଇଥିବା ଦୃଷ୍ଟିରୁ ଋଷ ବର୍ତ୍ତମାନ କ୍ୱିଭ୍, ଚର୍ନିହବ ଓ ଅନ୍ୟ ଉତ୍ତରାଞ୍ଚଳ ସହର ଉପରେ ଆକ୍ରମଣ କମ୍ କରିବ । କିନ୍ତୁ ମସଗ୍ର ୟୁକ୍ରେନରେ ଋଷ ଯୁଦ୍ଧ ବିରତି କରିବ ନାହିଁ । ଯୁଦ୍ଧ ବିରତି ନେଇ କୌଣସି ସହମତି ହୋଇନାହିଁ । ସେହିଭଳି ୟୁକ୍ରେନ ମଧ୍ୟ ସମ୍ପୃକ୍ତ ଅଂଚଳରୁ ସୈନ୍ୟ ସଂଖ୍ୟା ହ୍ରାସ କରିବ । ସେପଟେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଛି । ଇସ୍ତାନବୁଲରେ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବ । କିନ୍ତୁ ତା’ ପୂର୍ବରୁ ଦୁଇ ଦେଶର ବିଦେଶ ମନ୍ତ୍ରୀ ଏକାଠି ଶାନ୍ତି ରାଜିନାମା ଚୂଡାନ୍ତ କରିବେ ବୋଲି ସେ କହିଛନ୍ତି ।
Powered by Froala Editor