କୋଭିଡ୍ ରୋକିବାକୁ ସମ୍ପୂର୍ଣ୍ଣ ଲକଡାଉନ ଗୁରୁତ୍ୱପୂର୍ଣ୍ଣ: ଡା.ଗୁଲେରିଆ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ମହାମାରୀ କୋଭିଡ -୧୯ ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ସ୍ଥିତି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ ବୋଲି ଦେଶର କୋଭିଡ ଟାସ୍କ ଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମସ ମୁଖ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି । ଦେଶର ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଓ ଆଇସିୟୁ ଶଯ୍ୟା ଅଭାବରେ ସନ୍ତୁଳିତ ହେବା ଭଳି ସଂକଟଜନକ ସ୍ଥିତିରୁ ମୁକୁଳିବା ପାଇଁ ଗତବର୍ଷ ପରି କଠୋର ଲକଡାଉନର ଆବଶ୍ୟକତା ରହିଛି ବୋଲି ସେ ଆଶା ପ୍ରକଟ କରିଛନ୍ତି । ସେହିପରି ଯେଉଁଠି କୋଭିଡ ପଜିଟିଭ ହାର ୧୦ ପ୍ରତିଶତରୁ ଅଧିକ ରହୁଛି, ସେଠାରେ ତୁରନ୍ତ ଲକଡାଉନ ଲାଗୁ କରାଇବା ଅପରିହାର୍ଯ୍ୟ ବୋଲି ସେ ପରାମର୍ଶ କରିଛନ୍ତି । ଅପରପକ୍ଷେ, ଉତ୍ତରପ୍ରଦେଶ, ହରିଆଣା ଓ ମହାରାଷ୍ଟ୍ର ପରି ରାଜ୍ୟରେ ସମ୍ପ୍ରତି ଚାଲୁ ରହିଥିବା ରାତି କର୍ଫୁ୍ୟ ଓ ସପ୍ତାହାନ୍ତ ଲକଡାଉନ କଟକଣା ଆଦୌ ଫଳପ୍ରଦ ସାବ୍ୟସ୍ତ ହେଉନାହିଁ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେହିପରି ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ଜଣେ ଡାକ୍ତରଙ୍କ ମୃତୁ୍ୟ ହେବା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ହୋଇଥିବା ବେଳେ ସେଠାରେ ଅନୁରୂପ ୧୨ଟି ମୃତୁ୍ୟ ଘଟଣା ଦେଶ ପାଇଁ କଠୋର ଲକଡାଉନକୁ ଅନିବାର୍ଯ୍ୟ ଅସ୍ତ୍ର ଭାବେ ଆମନ୍ତ୍ରଣ କରୁଛି ବୋଲି ସେ କହିଛନ୍ତି । ଅପରପକ୍ଷେ, ବିଶ୍ୱରେ କୌଣସି ବି ଦେଶ ଏପରି ସ୍ଥିତିର ମୁକାବିଲା ପାଇଁ ସକ୍ଷମ ନୁହେଁ ଏବଂ ଏହାର ଉଚିତ ମୁକାବିଲା ପାଇଁ କେବଳ ଲକଡାଉନ ହିଁ ପ୍ରଯୁଜ୍ୟ ବୋଲି ଡା. ଗୁଲେରିଆ କହିଛନ୍ତି ।
Powered by Froala Editor