ଲାଗୁନି ବ୍ରେକ୍, ୮ ଦିନରେ ୭ ଥର ବଢିଲାଣି ତେଲ ଦର

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍ । ଗତ ୮ ଦିନ ମଧ୍ୟରେ ୭ ଥର ବଢିଲାଣି ତେଲ ଦର । ମଙ୍ଗଳବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଓ ୭୦ ପଇସା ବଢିଛି । ଫଳରେ ସପ୍ତାହକ ମଧ୍ୟରେ ତୈଳ ୪.୯୦ ଟଙ୍କା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ସହ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର୍ କରିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୦.୨୧ ଟଙ୍କା ଓ ଡିଜେଲ ୯୧.୪୭ ଟଙ୍କାକୁ ବୃଦ୍ଧି ପାଇଛି ।
ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ୭୪ ପଇସା ବଢିଛି । ଯାହାଫଳରେ ଏବେ ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ଦର ୧୦୭.୧୧ ଟଙ୍କା ଓ ୯୬.୮୩ ଟଙ୍କାରେ ହୋଇଯାଇଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ଏବେ ପେଟ୍ରୋଲ ଲିଟର ୧୧୫.୦୪ ଟଙ୍କା ଏବଂ ଡିଜେଲ ୯୯.୨୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବୃଦ୍ଧି ସହ ଦର ୧୦୫.୯୪ ଟଙ୍କା ଏବଂ ଡିଜେଲ ୯୬ ଟଙ୍କାରେ ପହଞ୍ଚିଛି ।ଦେଶରେ ଅନ୍ୟ ପ୍ରମୁଖ ସହର କୋଲକାତାରେ ତୈଳ ଦର ଯଥାକ୍ରମେ ୧୦୯.୬୮ ଟଙ୍କା ଏବଂ ଡିଜେଲ ୯୪.୬୨ ଟଙ୍କା ରହିଛି । ତୈଳ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ମହଙ୍ଗା ହେବାରେ ଲାଗିଛି ।
Powered by Froala Editor