ଇଲେକ୍ଟ୍ରିକ ଖୁଣ୍ଟରେ ଧକ୍କା ଖାଇ ବିମାନର ଡେଣା ଭାଙ୍ଗିଲା

ଏକ ବଡ ଅଘଟଣରୁ ବର୍ତ୍ତିଛି ସ୍ପାଇସଜେଟ୍ର ଏକ ବିମାନ। ବିମାନ ପଛଘୁଞ୍ଚା ଦେଉଥିବା ସମୟରେ ବିମାନ ବନ୍ଦରରେ ଏକ ଇଲେକ୍ଟ୍ରିକ ଖୁଣ୍ଟକୁ ଧକ୍କା ଦେଇଛି। ବିମାନଟି ଏତେ ଜୋରରେ ବାଡେଇ ହୋଇଛି ଯେ, ଏଥିରେ ଇଲେକ୍ଟ୍ରିକ ଖୁଣ୍ଟ ବଙ୍କା ହୋଇ ଯାଇଛି ଏବଂ ଏହାର ଗୋଟିଏ ଡେଣା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ ବିମାନ ଟର୍ମିନାଲରୁ ଯାତ୍ରୀମାନଙ୍କୁ ନେଇ ରନ ଓ୍ଵେ ଅଭିମୁଖେ ଯାଉଥିଲା। ତେବେ ସୌଭାଗ୍ୟବଶତଃ ଯାତ୍ରୀଙ୍କର କୌଣସି କ୍ଷତି ଘଟିନାହିଁ। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଡ଼ାଣ ବାତିଲ କରାଯାଇଛି।
ସ୍ପାଇସଜେଟ୍ ମୁଖପାତ୍ର କହିଛନ୍ତି ଯେ, ସ୍ପାଇସଜେଟ ବିମାନ ଏସଜି ୧୬୦ ଦିଲ୍ଲୀ ଏବଂ ଜମ୍ମୁ ମଧ୍ୟରେ ଚଳାଚଳ କରିବାର ଯୋଜନା ଥିଲା। ହେଲେ ବିମାନଟି ପାସେଞ୍ଜର ଟର୍ମିନାଲରୁ ରନୱେକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ଘଟିବା ପରେ ବିମାନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ଦେଖାଯାଇଛି ଯେ, ବିମାନର ଡେଣା ବାଜିବା ପରେ ବିଜୁଳି ଖୁଣ୍ଟଟି ନଇଁ ପଡ଼ିଛି ଏବଂ ବିମାନର ଡେଣା ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣା ପରେ ଉଡ଼ାଣ ବାତିଲ କରାଯାଇ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଥିବା ଜଣାପଡ଼ିଛି।
Powered by Froala Editor