୨ ବର୍ଷ ପରେ ଅମରନାଥଙ୍କ ଦର୍ଶନ ପାଇବେ ଭକ୍ତ, ଜୁନ୍ ୩୦ରୁ ଯାତ୍ରା ଆରମ୍ଭ
ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଯାତ୍ରା ୪୩ଦିନ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି।
ଅମରନାଥ ଯାତ୍ରା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ଉପ ରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଶ୍ରୀ ଅମରନାଥଜୀ ଧର୍ମପୀଠ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ୪୩ ଦିନ ଚାଲିବାକୁ ଥିବା ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଯାତ୍ରା ସମୟରେ ସମସ୍ତ କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପାରମ୍ପରିକ ଭାବରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ। ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ କରୋନା କଟକଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଛି।
ସୂଚନାଯୋଗ୍ୟ, ଦୁଇ ବର୍ଷ ଧରି କରୋନା ମହାମାରୀକୁ ଦୃଷ୍ଟିରେ ରଖି ବୋର୍ଡ ଅମରନାଥ ଯାତ୍ରାକୁ ବାତିଲ କରିଥିଲା। ଯାତ୍ରା ବାତିଲ ହୋଇଥିଲେ ମଧ୍ୟ ବାବା ଅମରନାଥଙ୍କ ପୂଜା ପବିତ୍ର ଗୁମ୍ଫାରେ ଜାରି ରହିଥିଲା। କେବଳ ଶ୍ରଦ୍ଧାଳୁଙ୍କ ଯାତ୍ରା ଉପରେ ରୋକ ଲଗାଯାଇଥିଲା। ହେଲେ ଏଥର ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରାରେ ଯାଇ ପବିତ୍ର ଗୁମ୍ଫାରେ ଦର୍ଶନ କରିପାରିବେ।
Powered by Froala Editor