ଯୋଗୀ ଭୟ : ଏନକାଉଣ୍ଟର ଓ ଗିରଫଦାରୀ ଦେଖି ଆତ୍ମସମର୍ପଣ କଲେଣି ୫୦ ଅପରାଧୀ

ଯୋଗୀ ସରକାର ପୁଣି କ୍ଷମତାକୁ ଫେରିବା ପରେ ଭୟରେ ଥରିଲେଣି ଅପରାଧୀ । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ଏକ ବଡ ବିଜୟ ହାସଲ କରିବା ପରଠାରୁ ଏପର୍ଯ୍ୟନ୍ତ ୫୦ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତି। କାଳେ ଅପରାଧ କଲେ ଯୋଗୀ ସରକାର ଏନକାଉଣ୍ଟର କରିଦେବେ ସେହି ଭୟରେ ଏବେ ଆତ୍ମସମର୍ପଣ କରିବାକୁ ଥାନାରେ ଅପରାଧୀଙ୍କ ଭିଡ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, କିଛି ଅପରାଧୀ ନିଜ ବେକରେ ପ୍ଲାକାର୍ଡ ଟାଙ୍ଗି ବୁଲୁଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ମୁଁ ଆତ୍ମସମର୍ପଣ କରୁଛି। ଦୟାକରି ଗୁଳି କରନ୍ତୁ ନାହିଁ’ । ଯାହାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ଏହି ୫୦ ଅପରାଧି କେବଳ ଆତ୍ମସମର୍ପଣ କରି ନାହାଁନ୍ତି ବରଂ ଅପରାଧ ଦୁନିଆ ଛାଡ଼ିଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ୧୫ ଦିନ ମଧ୍ୟରେ ଦୁଇଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ମାଇକ୍ରୋ ପ୍ଲାନିଂ କରାଯାଉଛି ବୋଲି କୁମାର କହିଛନ୍ତି। ଗୋଟିଏ ପଟେ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଅନ୍ୟ ପଟେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। ୧୧୨ ପାଟ୍ରୋଲିଂକୁ ମଧ୍ୟ ମଜବୁତ କରାଯାଉଛି ବୋଲି ଏଡିଜି କହିଛନ୍ତି।
Powered by Froala Editor