ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ, ଚାଉଳ କିଲୋ ୨୯୦ଟଙ୍କା, ୪୦୦ ଗ୍ରାମ କ୍ଷୀର ପାଉଡର ୭୯୦
ନୂଆଦିଲ୍ଲୀ: ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅର୍ଥନୈତିକ ସଂକଟ ଦେଖାଦେଇଛି । ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଶ୍ରୀଲଙ୍କର ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତିରେ କିଛି ଅସୁବିଧା ଦେଖା ଦେଇଥିଲା । ଯାହା ଏବେ ବଡ଼ ଧରଣରୁ ବିପଦକୁ ଟାଣି ଆଣିଛି । ବଜାରର ଦାମ୍ ଅଣାୟତ୍ତ ହୋଇପଡ଼ିଛି । କ୍ଷୀର, ପାଉଁରୁଟି, ଚିନି, ଚାଉଳ ଭଳି ଦୈନନ୍ଦିନ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି ।ନିତ୍ୟବ୍ୟବହାର ସାମଗ୍ରୀର ଦାମ୍ ଆକାଶ ଛୁଆଁ ହୋଇଛି ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାରେ ଖାଦ୍ୟର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ରେଷ୍ଟୁରାଣ୍ଟରେ ଗୋଟିଏ କପ୍ ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି । ଖାଲି ସେତିକି ନୁହେଁ ଚାଉଳ କିଲୋ ପ୍ରତି ଦାମ୍ ୨୯୦ ରହିଥିବା ବେଳେ, ଚିନି କିଲୋଗ୍ରାମ ମଧ୍ୟ ୨୯୦ ଟଙ୍କା ରହିଛି । ୪୦୦ ଗ୍ରାମ କ୍ଷୀର ପାଉଡର ପାଇଁ ୭୯୦ ଟଙ୍କା ଶ୍ରୀଲଙ୍କା ବାସୀଙ୍କୁ ଦେବାକୁ ପଡ଼ୁଛି । ଅଶୋଧିତ ମୂଲ୍ୟ ବୃଦ୍ଧି ଏବଂ ପର୍ୟ୍ୟଟନ ଆୟ ହ୍ରାସ ହେତୁ ଶ୍ରୀଲଙ୍କାର ଅର୍ଥନୀତି ଉପରେ ଏପରି ଏକ ବଡ଼ ସଙ୍କଟ ଦେଖା ଦେଇଛି । ଯାହା ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ୧୫ ପ୍ରତିଶତରେ ପହଞ୍ଚିଛି । ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।
ପେଟ୍ରୋଲ ଓ ଡିଜେଲ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଶ୍ରୀଲଙ୍କାରେ ଏପରି ସମସ୍ୟାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି । ଲୋକ ମାନେ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ ମଧ୍ୟ କରୁଛନ୍ତି । ଅନ୍ୟପଟେ ଲୋକଙ୍କ ସମାଗମକୁ ଦେଖି ସରକାର ଗ୍ୟାସ ଷ୍ଟେସନରେ ସାମରିକ ନିୟୋଜିତ କରିଛନ୍ତି ।ଶ୍ରୀଲଙ୍କା ତାର ଅଧିକାଂଶ ସାମଗ୍ରୀ ଅନ୍ୟ ଦେଶଠାରୁ ଆମଦାନୀ କରିଥିାଏ । ନିତ୍ୟବ୍ୟବାହ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଜିନିଷ ଅନ୍ୟ ଦେଶଠାରୁ ଆଣିଥାଏ ଶ୍ରୀଲଙ୍କା ।
Powered by Froala Editor