ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମୀ

ପୁଷ୍କର ସିଂ ଧାମୀ ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂ ତାଙ୍କୁ ପଦ ଓ ଗୋପନିୟତାର ଶପଥ ଗ୍ରହଣ କରାଇଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବା ଜଣାପଡ଼ିଛି।
ଧାମୀଙ୍କ ସହିତ ଆଠ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଅଛନ୍ତି ସତପାଲ ମହାରାଜ, ଧନ ସିଂହ ରାଓ୍ଵତ, ସୁବୋଧ ଉନିୟାଲ, ଗଣେଶ ଯୋଶୀ, ରେଖା ଆର୍ଯ୍ୟ ଏବଂ ପ୍ରେମଚନ୍ଦ୍ର ଅଗ୍ରଓ୍ଵାଲ। ସିତାରଗଞ୍ଜରୁ ବିଧାୟକ ସୌରଭ ବହୁଗୁଣା ଏବଂ ବାଗେଶ୍ଵରର ବିଧାୟକ ଚନ୍ଦନ ରାମଙ୍କୁ ପ୍ରଥମ ଥର କ୍ୟାବିନେଟ୍ରେ ସାମିଲ୍ କରାଯାଇଛି।
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଥିଲେ ବି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ଆସନରୁ ନିର୍ବାଚନ ହାରିଥିଲେ। ଏହା ପରେ ଦଳ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଆଶା କରାଯାଉଥିଲା। ପରେ ବିଜେପି ହାଇକମାଣ୍ଡ ଧାମୀଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ।
Powered by Froala Editor