ଚୀନ୍ର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୧୩୩ ଯାତ୍ରୀ

ମଝି ଆକାଶରେ ଚୀନ୍ର ଯାତ୍ରୀବାହୀ ବିମାନ ବୋଇଂ ୭୩୭ରେ ନିଆଁ ଲାଗିଯାଇଛି। ଦୁର୍ଘଟଣାବେଳେ ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ। ତେବେ ଏହି ଦୁର୍ଘଟଣାରେ କେତେ ଜଣ ମୃତାହତ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ସୂଚନା ଥାଉକି, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।
MU 5735 ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ଦିନ ୧ଟା ୧୫ରେ ଉଡାଣ ଭରିଥିଲା । ଏହା ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ୩ଟା ସୁଦ୍ଧା ପହଞ୍ଚିବା ଥିଲା । କିନ୍ତୁ ଏହା ପୂର୍ବରୁ ଦୁର୍ଘଟଣା ଘଟିଥିଲା । ବିମାନଟି ଉଡାଣ ଭରିବାର କିଛି ସମୟ ପରେ ପାହାଡରେ ପିଟି ହୋଇଯାଇଥିଲା ଓ ପରେ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ବଡ ଦୁର୍ଘଟଣା ଘଟିଛି। ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ଯେ, ଦୁର୍ଘଟଣା ପରେ ଗୁଆଙ୍ଗସି ଅଞ୍ଚଳରେ ନିଆଁ ସହ ଚାରିଆଡ଼େ ଧୂଆଁ ଦେଖାଯାଉଛି। ଏବେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଉଥିବା ଜଣାପଡ଼ିଛି।
Powered by Froala Editor