ପଞ୍ଜାବର ନୂଆ ସରକାର ନେଲେ ନିଷ୍ପତ୍ତି : ମାସେ ମଧ୍ୟରେ ୨୫ ହଜାର ନିଯୁକ୍ତି ସୃଷ୍ଟି
![ପଞ୍ଜାବର ନୂଆ ସରକାର ନେଲେ ନିଷ୍ପତ୍ତି : ମାସେ ମଧ୍ୟରେ ୨୫ ହଜାର ନିଯୁକ୍ତି ସୃଷ୍ଟି](https://odishanewslens.com/news_gallery/11756_1647707378.jpg)
ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍ରେ ‘ଆମ୍ ଆଦ୍ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ପରେ ଆଜି ନବଗଠିତ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ୍ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ଚାକିରି ପୁଲିସ ବିଭାଗରେ ଓ ଅବଶିଷ୍ଟ ୧୫ହଜାର ଚାକିରି ଅନ୍ୟ ବିଭାଗର ରହିବ ବୋଲି ଜଣାପଡ଼ିଛି। ୧ମାସ ମଧ୍ୟରେ ୨୫ ହଜାର ଚାକିରି ସୁଯୋଗ ସୃଷ୍ଟି କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଭଗୱନ୍ତ ମାନ ଟ୍ୱିଟ କରି କହିଛନ୍ତି, “ଗୋଟିଏ ମାସ ମଧ୍ୟରେ ୨୫ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ପଞ୍ଜାବ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ପଞ୍ଜାବର ଯୁବଗୋଷ୍ଠୀଙ୍କୁ ଚାକିରି ଦେବା ଆପ୍ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ନିର୍ବାଚନ ବେଳେ ଏହି ସମସ୍ୟାର ସମାଧାନ ହେବ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ଏବେ ସେହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି।”
କ୍ୟାବନେଟ ପୂର୍ବରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଥିଲା। ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବ ରାଜ ଭବନରେ ଥିବା ଗୁରୁ ନାନକ ଦେବ ଅଡିଟୋରିୟମରେ ଏମାନଙ୍କୁ ରାଜ୍ୟପାଳ ବନୱାଲିଲାଲ ପୁରୋହିତ ପଦ ଓ ଗୋନୀୟତାର ଶପଥ ପାଠ କରାଇଥିଲେ।
Powered by Froala Editor