କାଲିଠୁ ରାଜ୍ୟରେ ବଢିବ ତାତି
ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବଢିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ହେବାର ଆଶଙ୍କା ରହିଛି । ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ପାଇଁ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ। ପରିବହନ ବିଭାଗ ପକ୍ଷରୁ ଅଧିକ ଖରା ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସ୍ରେ ସ୍ୱଚ୍ଛ ପାନୀୟ ଜଳ, ବରଫ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା ଓ ବସ୍ରେ ଅଧିକ ସଂଖ୍ୟକ ଯାତ୍ରୀ ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଜାତୀୟ ରାଜପଥରେ କିଓସ୍କ, ବସଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତାର ଉପଯୁକ୍ତ ଯାଞ୍ଚ, ଜିଲ୍ଲା ସ୍ତରରେ ୨୪ ଘଣ୍ଟିଅଆ କଣ୍ଟ୍ରୋଲ ରୁମ୍ ଆଦି ଖୋଲିବାକୁ କୁହାଯାଇଛି ।
Powered by Froala Editor