ଡାକ୍ତର ହେବ ତ ଏମିତି...ଶିଶୁକୁ ନିଶ୍ୱାସ ଦେଇ ଜୀବନ ବଞ୍ଚାଇଲେ
ଡାକ୍ତର । ଯାହାଙ୍କୁ ଆମେ ଭଗବାନଙ୍କ ରୂପ ବୋଲି ମାନିଥାଉ । କାରଣ ସେମାନଙ୍କ ପାଇଁ ଦୂରାରୋଗରୁ ବି ମୁକ୍ତି ମିଳିଥାଏ । ଏବଂ ଆମେ ନୂଆ ଜୀବନ ପାଇଥାଉ । ତେବେ ବର୍ତ୍ତମାନ ସ୍ଥିତିରେ କିଛି ଡାକ୍ତର କେବଳ ଟଙ୍କା କମାଇବା ପାଇଁ ଚିକିତ୍ସା କରୁଛନ୍ତି । କିନ୍ତୁ ଏବେ ଆମେ ଯେଉଁ ଫଟୋ ଦେଖାଇବୁ ସେହି ଫଟୋ ଦେଖିଲେ ଆପଣ ନିଶ୍ଚୟ କହିବେ ଡାକ୍ତର ହେବ ତ ଏମିତି । ଯାହାଙ୍କ ପାଇଁ ହୃଦୟରୁ ଧନ୍ୟବାଦ ଆସିବ । ଏ ମହିଳା ଡାକ୍ତର ହେଉଛନ୍ତି ଆଗ୍ରାର । ସେ ଏକ ନବଜାତ ଶିଶୁ କନ୍ୟାକୁ ପାଟିରୁ ନିଶ୍ୱାସ ଦେଇ ନୂଆ ଜୀବନ ପ୍ରଦାନ କରିଛନ୍ତି ।
ଘଟଣାଟି ଏମିତି । ଆଗ୍ରାର ଏତ୍ମାଦପୁରର ବୁର୍ଜ ଗାଙ୍ଗୀ ନିବାସୀ ଖୁସବୁଙ୍କୁ ମାର୍ଚ୍ଚ ୧ରେ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସାଧାରଣ ପ୍ରସବ ଦ୍ୱାରା ଖୁସବୁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ସମୟ ପରେ ହଠାତ୍ ନବଜାତ ଶିଶୁ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା।
ହସ୍ପିଟାଲର ଡାକ୍ତର ସୁରେଖା ଯେତେବେଳେ ଶିଶୁର ପରୀକ୍ଷା କରିଥିଲେ ନବଜାତକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଅମ୍ଳଜାନ ଦେଇଥିଲେ କିନ୍ତୁ କୌଣସି ପ୍ରକାର ଲାଭ ମିଳି ନଥିଲା। ଶେଷରେ ଡାକ୍ତର ସୁରେଖା ନବଜାତ ମୁହଁରେ ନିଜ ମୁହଁ ଲଗାଇ ନିଶ୍ୱାସ ଭରିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହୋଇଥିଲା। ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ମାର୍ଚ୍ଚ ୧ରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରାଣୀଙ୍କୁ ଖବୁ ପ୍ରଶଂସା କରାଯାଉଛି। ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।
ଡାକ୍ତର ସୁରେଖା ଯେତେବେଳେ ଶିଶୁର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।
Powered by Froala Editor