ମଦ ବୋତଲ ଠିପି ଗିଳି ତମ୍ପ ହଟହଟା

ମଦ ବୋତଲ ଠିପି ଗିଳି ହଟହଟା ହୋଇଛି ତମ୍ପ । ଘଟଣା ଏମିତି । ବାସୁଆଘାଇ ଅଞ୍ଚଳରେ ଘର ତୋଳୁଛନ୍ତି ଆଶୁତୋଷ ଦାସ । ଆଜି ସକାଳେ ନିର୍ମାଣ ଶ୍ରମିକ ମାନେ ଏକ ସାପ ଦେଖି ଆଶୁତୋଷଙ୍କୁ ଜଣାଇଥିଲେ। ଆଶୁତୋଷଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ବହ୍ଲା ପଟା ଭିତରେ ପଶିଥିବା ଏକ ସାଢ଼େ ୩ ଫୁଟ ଲମ୍ବର ତମ୍ପ ସାପ ଉଦ୍ଧାର କରିଥିଲେ। କିନ୍ତୁ ଉଦ୍ଧାର ପରେ ସାପଟି କ’ଣ ଗୋଟେ ଗିଳି ଦେଇଥିବା ଭଳି ଦେଖାଯାଇଥିଲା ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ପରୀକ୍ଷା କରି କିଛି ଗୋଟେ କଠିନ ପଦାର୍ଥ ତା’ ପେଟ ଭିତରେ ଥିବାର ଅନୁମାନ କରିଥିଲେ। ଏହାପରେ ଶ୍ରୀମଲ୍ଲିକ ସାପ ଟିକୁ ଓୟୁଏଟି ସ୍ଥିତ ଭେଟେରିନାରି କଲେଜକୁ ପରୀକ୍ଷା ପାଇଁ ନେଇଥିଲେ। ଏକ୍ସରେ ରିପୋର୍ଟରେ ଜଣାପଡିଥିଲା ଯେ, ସାପଟି ଏକ ବୋତଲର ଠିପି ଗିଳି ଦେଇଛି । ଏହାପରେ ଅପରେସନ କରାଯାଇଥିଲା । ଅପରେସନ ସମୟରେ ସାପ ମୁଣ୍ଡକୁ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଭର୍ତ୍ତି କରାଯାଇଛି । ସାପଟି ଏବେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଡାକ୍ତର ।
Powered by Froala Editor